Music

ତୁଳସୀ ଦାସ ଓ ହନୁମାନ ପ୍ରସଙ୍ଗ | TULSIDAS AND HANUMAN STORY IN ODIA

ତୁଳସୀ ଦାସ କାଶୀକ୍ଷେତ୍ରରେ ରହୁଥିବା ସମୟରେ ଥରେ ଏକ ବିଚିତ୍ର ଘଟଣା ଘଟିଲା । ପ୍ରତିଦିନ ଶୌଚ ନିମନ୍ତେ  ସେ ନିକଟରେ ଥିବା ଜଙ୍ଗଲକୁ ଯାଉଥିଲେ ଓ ସେଠାରୁ ଫେରିବା ସମୟରେ ବଳକା ଜଳ ଗୋଟିଏ ପିପ୍ପଳ ବୃକ୍ଷ ମୂଳରେ ଢାଳି ଦେଉଥିଲେ । ସେହି ପିପ୍ପଳବୃକ୍ଷରେ ବାସ କରୁଥିଲା ଏକ ପ୍ରେତ।

  ଜଳପାନ କରି ପ୍ରେତର  ତୃଷା ନିବାରଣ ହେଉଥାଏ । କୌଣସିମତେ ପ୍ରେତଟି ଜାଣିବାକୁ ପାଇଲା ଯେ ପ୍ରତ୍ୟହ ବୃକ୍ଷମୂଳରେ ପାଣି ଢ଼ାଳୁଥିବା ବ୍ଯକ୍ତି ଜଣକ ମହାନ ପଣ୍ଡିତ ଅଟନ୍ତି।

ଦିନେ ତୁଳସୀଦାସ ଉକ୍ତ ପିପ୍ପଳ ବୃକ୍ଷମୂଳରେ ପାଣି ଢାଳୁଥିବା ସମୟରେ ପ୍ରେତଟି ତାଙ୍କୁ ଦେଖାଦେଇ  କହିଲା-

"ହେ ଦେବ !  ଆପଣ ପ୍ରତ୍ୟହ ଜଳଦାନ କରି ମୋହର ତୃଷା ନିବାରଣ କରୁଛନ୍ତି । ମୁଁ ଆପଣଙ୍କ ଉପରେ ପ୍ରସନ୍ନ । ଆପଣ ଯାହା ଇଚ୍ଛା ତାହା ପ୍ରାର୍ଥନା କରନ୍ତୁ । ମୁଁ ଅବଶ୍ୟ ପୂରଣ କରିବି।"

ତୁଳସୀ ଦାସ କହିଲେ ମୁଁ ଭଗବାନ ଶ୍ରୀରାମଙ୍କ ଦର୍ଶନ କରିବାକୁ ଚାହୁଁଛି । ପ୍ରେତଟି କିଛି ସମୟ ଚିନ୍ତା କରି କହିଲା-

"ରାମକଥା ଶୁଣିବା ହେତୁ ଏହି କ୍ଷେତ୍ରକୁ ପ୍ରତିଦିନ ହନୁମାନ ଏକ କୁଷ୍ଠରୋଗୀ ବେଶରେ ଆସୁଛନ୍ତି । ସେ  ରାମଙ୍କର ପ୍ରଥମ ଓ ପ୍ରଧାନ ସେବକ ।  ସେ ସମସ୍ତଙ୍କ ପୂର୍ବରୁ ଆସନ୍ତି ଓ ସବା ଶେଷରେ ଯାଇଥାନ୍ତି । ସମୟ ଦେଖି ତାଙ୍କୁ ପ୍ରଣାମ କରି ନିଜର ଇଚ୍ଛା ଜଣାନ୍ତୁ । ସେ ନିଶ୍ଚୟ ତାହା ପୂର୍ଣ୍ଣ କରିବେ ।''

ତୁଳସୀ ଦାସ ତାହା ହିଁ କଲେ । ଚିତ୍ରକୂଟରେ ଭଗବାନ ଶ୍ରୀରାମଙ୍କ ଦର୍ଶନ ଲାଭକରିବେ ବୋଲି ହନୁମାନଙ୍କଠାରୁ ଜାଣିବା ପରେ ତୁଳସୀ ସେଠାକୁ ଯାତ୍ରା କଲେ ।

ସେଠାରେ ପ୍ରତ୍ୟହ ରାମନାମ ଜପ କରୁଥାନ୍ତି ।   ଦିନେ ନିକଟବର୍ତ୍ତୀ ଅଞ୍ଚଳକୁ ବୁଲିବାକୁ ଯାଇଥାନ୍ତି । ଅକସ୍ମାତ୍ ପଥ ମଧ୍ୟରେ ଦେଖିଲେ  ଦୁଇଜଣ ସୌମ୍ୟ ରୂପଧାରୀ ରାଜକୁମାର ଯାଉଛନ୍ତି । ହାତରେ ସେମାନଙ୍କର ଧନୁ ଓ ତୀର ଶୋଭା ପାଉଛି । ସେମାନେ ଶିକାର ଉଦ୍ଦେଶ୍ୟରେ ଯାଉଛନ୍ତି ବୋଲି ତୁଳସୀଙ୍କର ପ୍ରତୀତ ହେଲା । ସେମାନଙ୍କୁ ଦେଖି ତୁଳସୀ ଦାସ ଅତିଶୟ ପ୍ରୀତ ହୋଇଗଲେ ।

ଆହୁରି ପଢ଼ନ୍ତୁ: ଆଦି ଶଙ୍କରାଚାର୍ଯଙ୍କର ଶିକ୍ଷା (ପ୍ରଶ୍ନୋତ୍ତର ରତ୍ନମାଳିକା) - TEACHING OF ADI SHANKARACHARYA

ଈଶ୍ୱରଙ୍କ ଅସ୍ତିତ୍ୱ - EXISTENCE OF GOD

ମଧୁସୂଦନ ଦାସ ଜୀବନୀ - BIOGRAPHY OF MADHUSUDAN DAS

କିନ୍ତୁ ସେମାନେ କିଏ ତାହା ଜାଣିପାରି ନଥିଲେ । କିଛି କ୍ଷଣ ପରେ ହନୁମାନ ସେଠାକୁ ଆସି ଯେତେବେଳେ ସେ ଦୁହିଁଙ୍କର ପରିଚୟ ଦେଲେ ତୁଳସୀ ଦୁଃଖରେ ମ୍ରିୟମାଣ ହୋଇପଡ଼ିଲେ । ହନୁମାନ ଆଶ୍ୱାସନା ଦେଇ କହିଲେ କାଲି ପ୍ରତ୍ୟୁଷରେ ନିଶ୍ଚୟ ଦର୍ଶନ ଲାଭ କରିବ ।

ସେଦିନ ଥିଲା ମୌନୀ ଅମାବାସ୍ୟା । ପ୍ରାତଃକାଳରେ ଗୋସ୍ୱାମୀ ତୁଳସୀଦାସ ଠାକୁରଙ୍କ ପୂଜା ଉଦ୍ଦେଶ୍ୟରେ ଚନ୍ଦନ ଘୋରୁଥାଆନ୍ତି । ଭଗବାନ ରାମ ତୁଳସୀଙ୍କ ନିକଟକୁ ଆସି ଚନ୍ଦନ ଲଗାଇ ଦେବାପାଇଁ କହିଲେ । ହନୁମାନ ଅନ୍ତରାଳରେ ଥାଇ ଭାବିଲେ ଏଥର ମଧ୍ୟ ତୁଳସୀ ପ୍ରଭୁଙ୍କୁ ଚିହ୍ନିପାରିବେ ନାହିଁ । ଶୁଆ ରୂପ ଧରି ହନୁମାନ ଚିତ୍ରକୂଟ ପର୍ବତ କଥା ସ୍ମରଣ କରାଇ ଦେଇ ଦୋହା ବୋଲିବାକୁ ଲାଗିଲେ । ଏହାଶୁଣି ତୁଳସୀଙ୍କ ନେତ୍ରରେ ଭଗବାନ ରାମଙ୍କ ମନମୋହନ ଛବି ନାଚି ଉଠିଲା । ଆଖି ଲୁହରେ ଛଳଛଳ ହୋଇଗଲା ।ଏଭଳି ଭାବବିହ୍ୱଳ ଅବସ୍ଥାରେ ଚନ୍ଦନ କିପରି ବା ଲଗେଇବେ ?

ପ୍ରଭୁ ଶ୍ରୀରାମ ପୁଣି ଥରେ କହିଲେ-

ବାବା ! ମୋତେ ଚନ୍ଦନ ଦିଅନ୍ତୁ, ହେଲେ ତୁଳସୀ ତ ଭାବିବିହ୍ୱଳ, ଆତ୍ମହରା । ଏହା ଶୁଣିବେ ବା କିପରି? ଭଗବାନ ଶ୍ରୀରାମ ଆପଣା ହାତରେ ଚନ୍ଦନ ନେଇ ନିଜ ଲଲାଟ ଓ ତୁଳସୀଙ୍କ ଲଲାଟରେ ଲଗାଇଦେଇ ଅନ୍ତର୍ଦ୍ଧାନ ହୋଇଗଲେ । ତୁଳସୀ ଆଖି ଖୋଲି ଦେଖନ୍ତି ତ ସମ୍ମୁଖରେ ସେହି ଅପୂର୍ବ କାନ୍ତିଯୁକ୍ତ ଦିବ୍ଯପୁରୁଷ ନାହାନ୍ତି । ଜଳବିହୀନ ମତ୍ସ୍ଯ ଭଳି ସେ ଯନ୍ତ୍ରଣାରେ ଛଟପଟ ହେଲେ । ଦିନଯାଇ ରାତି ହେଲା, ହନୁମାନ ତାଙ୍କର ମନୋଭାବ ଜାଣି ନିକଟକୁ ଆସି ଅନୁରକ୍ତ ଭକ୍ତଙ୍କୁ ବୁଝାଇ ଦେଇଥିଲେ କିପରି ପ୍ରଭୁ ତାଙ୍କ ପ୍ରେମରେ ବାନ୍ଧି ହୋଇ ନିକଟକୁ ଆସିଲେ, ନିଜେ ତିଳକ ଗ୍ରହଣ କରି ତାଙ୍କ କପାଳରେ ତିଳକ ଲଗାଇଲେ ଇତ୍ୟାଦି । ହନୁମାନ କହିଲେ ବ୍ଯସ୍ତ ହୁଅନି ! ତୁମେ ଏ ନଶ୍ବର ଶରୀର ତ୍ଯାଗ କଲାପରେ ସେହି ଅନାଦି ଈଶ୍ବରଙ୍କ ନିତ୍ଯ ଦର୍ଶନ କରିବ । ଏତିକି କହି ହନୁମାନ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ ...

Tag- Tulsi das meet hanuman Odia, Goswami Tulsi das And Hanuman, Tulsi das O Hanuman Odia, Odia pathshala, Odiapathshala

Post a Comment

0 Comments