Music

ଭାଗ୍ୟ ଓ ଭଗବାନଙ୍କ ଭରସାରେ ବସ ନାହିଁ -ସଫଳତାର ରହସ୍ୟ


 ଜୀବନରେ ସେହି ବ୍ୟକ୍ତିମାନେ ଅସଫଳ ହୁଅନ୍ତି, ଯେଉଁମାନେ କେବଳ ଚିନ୍ତା ହିଁ କରନ୍ତି; କିନ୍ତୁ, କର୍ମ କରନ୍ତିନାହିଁ। ବଲିଉଡ୍‌ ଚଳଚ୍ଚିତ୍ର ‘ମାଁଝୀ: ଦ ମାଉଣ୍ଟେନ୍‌ମ୍ୟାନ୍‌’ର ଏକ ସଂଳାପ ଏହି ଅବସରରେ ଉଲ୍ଲେଖଯୋଗ୍ୟ: ‘ଭଗବାନ୍‌ଙ୍କ ଭରସାରେ ବସନାହିଁ, କିଏ ଜାଣେ, ଭଗବାନ୍‌ ତୁମ ଭରସାରେ ବସିଥିବେ।’ ସଫଳତାର ଆଧାର ହେଉଛି, ସକାରାତ୍ମକ ଚିନ୍ତାଧାରା ଓ ନିରନ୍ତର ପ୍ରଚେଷ୍ଟା। ପରିଶ୍ରମ ଏତେ ନିରବତାର ସହ କର ଯେ, ତୁମର ସଫଳତା କୋଳାହଳ ସୃଷ୍ଟି କରିବ। ସଫଳ ହେବାକୁ ହେଲେ ଏକା ଏକା ଆଗେଇବାକୁ ହୁଏ। ଯେତେ ବେଳେ ଆମେ ସଫଳ ହେଉ, ସେତେ ବେଳେ ଲୋକେ ଆପେ ଆପେ ଆମ ପଛରେ ଆସନ୍ତି। ଭାଗ୍ୟରେଖା ଉପରେ ବିଶ୍ୱାସ କରିବା ଛାଡ଼ିଦିଅ। ଯେତେ ବେଳେ ଲୋକେ ବଦଳିଯାଆନ୍ତି, ସେତେ ବେଳେ ଭାଗ୍ୟରେଖା ଅବା କି ଜିନିଷ! ସମସ୍ୟା ତ ସମସ୍ତେ ସୃଷ୍ଟି କରିପାରିବେ; ହେଲେ, ସମାଧାନ କରିବା ଲୋକ କମ୍‌; ତେଣୁ, ସମସ୍ୟା ନୁହେଁ, ନିଜେ ସମାଧାନର ମାଧ୍ୟମ ହୁଅ।

ଯେଉଁମାନଙ୍କୁ ସ୍ୱପ୍ନ ଦେଖିବାକୁ ଭଲଲାଗେ, ସେମାନଙ୍କୁ ରାତି ଛୋଟ ଲାଗେ; ଏବଂ ଯେଉଁମାନଙ୍କୁ ସ୍ୱପ୍ନ ସାକାର କରିବାକୁ ଭଲଲାଗେ, ସେମାନଙ୍କୁ ଦିନ ଛୋଟଲାଗେ। ତୁମେ ନିଜର ଭବିଷ୍ୟତ୍‌ ବଦଳାଇପାରିବନାହିଁ। କିନ୍ତୁ, ନିଜ ଅଭ୍ୟାସ ବଦଳାଇପାରିବ। ଆଉ ତାହା ନିଶ୍ଚୟ ତୁମ ଭବିଷ୍ୟତ୍‌ ବଦଳାଇଦେବ। ଗୋଟିଏ ସ୍ୱପ୍ନ ଭାଙ୍ଗିଯିବା ପରେ ଆଉ ଗୋଟିଏ ସ୍ୱପ୍ନ ଦେଖିବାକୁ ସାହସ କରିବା ହିଁ ଜୀବନ। ଶୋଇଥିବା ବେଳେ ଦେଖୁଥିବା ସ୍ୱପ୍ନ କେବେ ସଫଳ ହୁଏନାହିଁ। ସେହି ସ୍ୱପ୍ନ ସଫଳ ହୁଏ, ଯାହା ତୁମକୁ ଶୋଇବାକୁ ଦିଏନାହିଁ।

ସତ୍ୟ ପଥରେ ଅସୁବିଧା ଅଛି, କିନ୍ତୁ, ପରାଜୟ ନାହିଁ। ମିଥ୍ୟା ପଥ ସୁବିଧାଜନକ; ତେବେ, ସେହି ବିଜୟରେ ଆତ୍ମତୃପ୍ତି ନାହିଁ। ଆତ୍ମତୃପ୍ତି ନ ଥିବା ବିଜୟ, ବିଜୟ କି? ଲୋକଙ୍କ ପରବାୟ କରନାହିଁ। ଯିଏ ଆରମ୍ଭ କରିବାର ସାହସ ରଖେ, ସେ ହିଁ ସଫଳ ହୁଏ। ସଂଘର୍ଷ ବେଳେ ବ୍ୟକ୍ତି ଏକା ଥାଏ। ଆଉ ସଫଳ ହେଲେ, ଦୁନିଆ ତା’ ସହ ରହେ। ସଫଳ ବ୍ୟକ୍ତି ନିଜର ନିଷ୍ପତ୍ତି ଦ୍ୱାରା ଦୁନିଆ ବଦଳାଏ। କିନ୍ତୁ, ଅସଫଳ ବ୍ୟକ୍ତି ଦୁନିଆ ଭୟରେ ନିଜର ନିଷ୍ପତ୍ତି ବଦଳାଏ। ମିଥ୍ୟା ପ୍ରତିଷ୍ଠାର ପକ୍ଷୀ ଅଧିକ ଫଡ଼ଫଡ଼ ହୁଏ। ସଫଳତାର ଇଗଲ୍‌ ଉଡ଼ିବା ବେଳେ ବି ନିରବ ଥାଏ। ଏକ ଶେଷ କଥା ମନେରଖନ୍ତୁ। ବିଫଳତା ଯୋଗୁଁ ଭାଙ୍ଗିପଡ଼ନ୍ତୁନାହିଁ। କାରଣ, ବେଳେ ବେଳେ ଚାବି ପେନ୍ଥାର ଶେଷ ଚାବିରେ ତାଲା ଖୋଲିଥାଏ।

Post a Comment

0 Comments