Music

ଶାରଦୀୟ ଦେବୀପୂଜା (ଦୁର୍ଗା ପୂଜା) | DURGA PUJA IN ODIA


ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ ଦେବୀ ଦୁର୍ଗାଙ୍କର ପୂଜା ଭାରତରେ ପ୍ରତିବର୍ଷ ଦୁଇଥର ଅନୁଷ୍ଠିତ ହୁଏ । ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦୁର୍ଗା ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁ ମା’ର ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ, ସେହି ଧରିତ୍ରୀ ରାଣୀର ବୟଃପ୍ରାପ୍ତିରେ ଉତ୍ ଫୁଲ୍ଲ ହୋଇ ଜନ-ମାନସ ବାସନ୍ତୀ ଦୁର୍ଗାଙ୍କ ପୂଜାର ଆୟୋଜନ କରେ, ମାତ୍ର ଏକ ସାର୍ବଜନୀନ ପୂଜା ରୂପେ ‘ଶାରଦୀୟ ଦେବୀପୂଜା’ ହିଁ ଅଧିକ ଲୋକପ୍ରିୟତା ଅର୍ଜନ କରିଛି । ଏହି ମହାନ୍ ଶାରଦୀୟ ପର୍ବ ଦେବୀ ଦୁର୍ଗାଙ୍କର ପୂଜା ଭାରତର ପୁରପଲ୍ଲୀରେ ‘ଦଶହରା’ ପର୍ବରୂପେ ଆଦୃତ । ରାବଣର ଦଶ ମୁଣ୍ଡ ହରଣ ହୋଇଥିବାରୁ ଏହା ‘ଦଶହରା’ – ‘ଦଶ ରାବଣସ୍ୟ ମସ୍ତକାନି ହରତି ମାସା’ । ପୁଣି ଏହି ଦିନରେ ଦଶପ୍ରକାରର ହିଂସା ଓ ପାପ ହରଣ ହେଉଥିବାରୁ ମଧ୍ୟ ଏହା ‘ଦଶହରା’ । ପୃଥିବୀରେ ପ୍ରଥମେ ସୁରଥ ରାଜା ଓ ପରେ ରାମଚନ୍ଦ୍ର ଦୁର୍ଗାଙ୍କର ପୂଜା କରିଥିଲେ ।

ତ୍ରେତୟା ଯୁଗରେ ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ରାମଚନ୍ଦ୍ର ମାତୃଶକ୍ତି ବନଦୁର୍ଗାଙ୍କୁ ସ୍ତୁତି କରି ରାବଣର ନିଧନ ଉଦ୍ଦେଶ୍ୟରେ ଲଙ୍କା ଅଭିମୁଖେ ବିଜୟଯାତ୍ରା କରିଥିଲେ I ପୁଣି ଏହି ଦିବସର ଅବ୍ୟବହିତ ପୂର୍ବରୁ ଚୈତ୍ର ମାସ ଶୁକ୍ଳପକ୍ଷରେ ସିଂହବାହିନୀ ଆଦ୍ୟା ଶକ୍ତି ଦୁର୍ଗା ଦୁର୍ଦ୍ଦମନୀୟ ମହିଷାସୁରକୁ ବଧ କରି ଦେବତାମାନଙ୍କର ମଙ୍ଗଳ ବିଧାନ କରିଥିଲେ I ସେବେଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ଵିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ । ସିଂହବାହିନୀ ଦେବୀ ଦୁର୍ଗା ଯେଉଁ ସମୟରେ ମହିଷାସୁରକୁ ବଧ କରିଥିଲେ, ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାହୁଏ । ନବମୀ ରାତିର ଅନ୍ଧକାର ସହ ତ୍ରୈଲୋକ୍ୟରୁ ଅମଙ୍ଗଳର ଛାୟା ଅପସରି ଗଲା, ଶୁକ୍ଳ ଦଶମୀରେ ସବୁପ୍ରକାର ଶୁଭକାର୍ଯ୍ୟର ଆରମ୍ଭ ହେଲା I ଏହିଦିନ ଜଗତର ଦୁଃଖ ହରଣ ହୋଇଥିବାରୁ ଏହା ‘ଦୁଃଖହା ଦଶମୀ’ ନାମରେ ଖ୍ୟାତି ଲାଭ କରିଅଛି ବୋଲି ଆଦିକବି ଶୂଦ୍ରମୁନି ସାରଳା ଦାସଚଣ୍ଡୀପୁରାଣ’ରେ ଲେଖିଛନ୍ତି I ଦଶମୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ,ଏହା ଦେବତାମାନଙ୍କ ଦ୍ଵାରା ମା’ ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ ।

ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଦେବୀମହାତ୍ମ୍ୟ ବା ଚଣ୍ଡୀ ପୁରାଣରେ ଦୁର୍ଗାଙ୍କର ଉତ୍ପତ୍ତି ଓ ଅସୁର ବିନାଶାର୍ଥ ଭିନ୍ନ ଭିନ୍ନ ଅବତାରର ବିଷୟ ବର୍ଣ୍ଣିତ ହୋଇଛି । ସେ ବ୍ରହ୍ମା, ବିଷ୍ଣୁ ଓ ଶିବ ଆଦି ଦେବତାମାନଙ୍କ ତେଜରୁ ସମ୍ଭୁତା ଏବଂ ବିଷ୍ଣୁଙ୍କର ମାୟା ଅଟନ୍ତି । ଦୁର୍ଗାବତାରରେ ସେ ମହିଷାସୁର, ରକ୍ତବୀଜ, ଶୁମ୍ଭ, ନିଶୁମ୍ଭ ଆଦି ଅସୁରମାନଙ୍କୁ ବଧ କରିଥିଲେ ।

ଜଗତଜନନୀ ମାଆ ଦୁର୍ଗା ଦୁଃଖ, ଦୁର୍ଗତି ନାଶ କରି ସମସ୍ତଙ୍କୁ ସୁଖରେ ରଖନ୍ତୁ !


 ଉପସ୍ଥାପନା – ଦୀପକ !

Post a Comment

0 Comments