କାହାଣୀ : ବିହଙ୍ଗ ବିପ୍ଲବ (Story-Bihanga biplaba)
ଭାଷା : ଓଡ଼ିଆ (Language-Odia)
ରଚୟିତା : ମହାପାତ୍ର ନୀଳମଣି ସାହୁ(Writer-Mahapatra Nilamani Sahu)

ମା' ହଳଦିବସନ୍ତ ମୁଣ୍ଡରେ ଚିନ୍ତା ମାଡ଼ି ପଡ଼ିଛି । ବସନ୍ତ ଋତୁ ବା ଆଉ କେତେ ଦିନ ରହିବ ! ସାହାଡ଼ା ଗଛମାନଙ୍କରେ ଫୁଲକଷି ଧରିଲାଣି । ଆଉ ଅଳ୍ପ ଦିନରେ ପାଚି ହଳଦି ଗୁରୁଗୁରୁ ଦିଶିବ । ବୁଦାମାନଙ୍କରେ ଶଗଡ଼ବାଟୁଆ କୋଳି ପାଚି ଲାଲ୍ ଟହଟହ ଦିଶିବ । ସେତେବେଳକୁ ଯଦି ଛୁଆ ହୋଇଯାଇଥିବେ, ତେବେ ସିନା ସେମାଙ୍କ କୁନି କୁନି ଥଣ୍ଟରେ ଏଇସବୁ ମିଠା ପାଚିଲା କୋଳି ଆଧାର ଦେବି; ଛୁଆସବୁ ଚଞ୍ଚଳ ବଢ଼ିଯିବେ ! କିନ୍ତୁ ଏ ପର ଘରଭଙ୍ଗା ବୁଢ଼ା ମାଙ୍କଡ଼ ତ ମୂଳରୁ ବସା ରଖାଇ ଦେଉ ନାହିଁ ! ସେ ଅଣ୍ଡା ଦେବ କେବେ, ଆଉ ଛୁଆ ଫୁଟିବେ କେବେ ?
କୁଳୁରୁ କୁଳୁ-କୁଳୁରୁ କୁଳୁ !
ପୁରୁଷ ହଳଦିବସନ୍ତଟି କୁଆଡ଼ୁ ବୁଲି ବୁଲି ଆସି ମା' ହଳଦିବସନ୍ତ ପାଖେ ବସିଲା । ତା'ର ହଳଦିଆ ସୁନା ଦେହଟି ଖରାରେ ମଳିନ ଦିଶୁଥାଏ ।
କହିଲା, "ବୁଝିଲ ! ପାଖଆଖରେ ଆଉ କୋଉ ଗଛ ଖାଲି ନାହିଁ । ଅନ୍ୟ ଚଢ଼େଇମାନେ ସବୁ ଗଛରେ ବସାବାନ୍ଧି ଅଣ୍ଡା ଦେଇସାରିଲେଣି ।
କେତେକ ଅଣ୍ଡା ଉଷୁମାଉଛନ୍ତି । ଆଉ କେତେକଙ୍କର ଛୁଆ ଫୁଟିଲେଣି । ଆମେ ଏବେ କ'ଣ କରିବା ?"
ମା' ହଳଦିବସନ୍ତ ଦୁଃଖରେ କାନ୍ଦି ପକାଇଲା । କାନ୍ଦି କାନ୍ଦି କହିଲା, "ସେହି ନିଆଁଗିଳା ବୁଢ଼ା ମାଙ୍କଡ଼କୁ ଜବତ କରିବା ପାଇଁ କ'ଣ ଏଠି କେହି ନାହିଁ ?"
କା-କା-କା !
ସେମାନଙ୍କର ବନ୍ଧୁ ଡାମରା କୁଆ ହଠାତ୍ ଆସି ପହଞ୍ଚିଗଲା । ସବୁ ଶୁଣିସାରି ସେ କହିଲା, "ତୁମେମାନେ ବଡ଼ ଭୀରୁ । ବୁଢ଼ା ମାଙ୍କଡ଼ଟାକୁ ଜବତ କରିପାରୁ ନାହଁ ! ଆମେ କାଉମାନେ କାହାରି ଅତ୍ୟାଚାର ସହିପାରୁ ନାହୁଁ । ଆମ ପ୍ରତି କିଏ ଖରାପ ବ୍ୟବହାର କଲେ, ଆମେ ତାକୁ ଥଣ୍ଟରେ ଖୁମ୍ପି ଆଉ ନଖରେ ବିଦାରି ଅସ୍ତବ୍ୟସ୍ତ କରିଦେଉଁ । ସର୍ବସାଧାରଣ ରାସ୍ତା ଉପରେ ସମସ୍ତେ ମିଶି ବଡ଼ ପାଟିରେ ତାକୁ ଗାଳିଦେଉଁ ।
ତା'ର ଇଜ୍ଜତ ମହତ ସାରିଦେଉଁ । ସେଥିପାଇଁ ତ ବୁଢ଼ା ମାଙ୍କଡ଼ ଆମ ବସାର ଛାଇ ମାଡ଼େ ନାହିଁ ।"
ପୁରୁଷ ହଳଦିବସନ୍ତ କହିଲା, କ'ଣ ଆଉ କରିବୁ, କହ ! ତାକୁ ଯେତେ ନେହୁରା ହୋଇ କହିଲୁ, ସେ କ'ଣ ଶୁଣୁଛି ! ଆମେ ହେଲୁ ଗାୟକ ଜାତି । ବସନ୍ତ ଋତୁରେ ଗୀତବୋଲିବା ଆମ କାମ । ଆମେ ତ ଆଉ ତୁମଭଳି ଲଢ଼ୁଆ ଜାତି ନୋହୁଁ !"
ଏହି ସମୟରେ ଆକାଶରେ ଶୁଭିଲା-
ଚିରିଂ-ଚିରିଂ-ଚିରିଂ !
କାଉ ତା'ର ଡୋଳା ଦୁଇଟାକୁ ବୁଲାଇ ଉପରକୁ ଥଣ୍ଟ ଟେକି କହିଲା, "ଓ ! ଗାଙ୍ଗୋଇ ମହାରାଜ ପରା ! ଆସିବା ହେଉ, ଆସିବା ହେଉ !"
ଗାଙ୍ଗୋଇ ଆସି କାଉ ପାଖେ ବସିଲା । କାଉ ପଚାରିଲା, "ଆଉ ସବୁ ଖବର କ'ଣ ଗାଙ୍ଗୋଇ ମହାରାଜ । ଆଜିକାଲି ତ ତୁମମାନଙ୍କର କଚେବାର । ଗାଡ଼ିଆ ପୋଖରୀ ତ ଶୁଖି ଆସିଲାଣି । ମାଛ ଦି'ଟା ଭଲ ମିଳୁଥିବ ।"
ଚିରିଂ-ଚିରିଂ-ଚିରିଂ !
ଗାଙ୍ଗୋଇ କହିଲା, "ନାହିଁ ହୋ ! ମଣିଷଙ୍କ ପେଟକୁ ତ ସବୁ ନିଅଣ୍ଟ ପଡ଼ିଲାଣି । ଗାଡ଼ିଆ ପୋଖରୀରେ ଆଜିକାଲି କୁଜିଗେଣ୍ଡାଟିଏ ବି ମିଳିବା କଷ୍ଟକର... ।" ତା'ପରେ ହଳଦିବସନ୍ତ ଉଦ୍ଦେଶ୍ୟରେ କହିଲା, "ହଳଦିବସନ୍ତ ଭାଇ, ଚାରିଆଡ଼େ ଏତେ ରଙ୍ଗର ଫୁଲ-ଏତେ ପ୍ରକାର କୋଳି-ଆଉ ଏତେ ସୁନ୍ଦର ପବନ ! ଗାଅ ଦେଖି ଗୋଟାଏ ଗୀତ, ତୁମର ସେଇ ମନମତାଣିଆ କୁଳୁରୁ କୁଳୁ ସ୍ଵରରେ । ଅନେକ ଦିନୁ ଭଲ ଗୀତଟିଏ ଶୁଣାଯାଇ ନାହିଁ ।"
ହଳଦିବସନ୍ତ ତା'ର ଦୁର୍ଦ୍ଦଶା ବିଷୟରେ କିଛି କହିବା ପୂର୍ବରୁ ସେମାନଙ୍କ ପ୍ରତି ବୁଢ଼ା ମାଙ୍କଡ଼ କିପରି ଅତ୍ୟାଚାର କରୁଛି, ସେ କଥା ବର୍ଣ୍ଣନା କରି କାଉ କହିଲା, "ଗାଙ୍ଗୋଇ ମହାରାଜ, ଏଥକୁ ଉପାୟ କ'ଣ କୁହ ! ହଳଦିବସନ୍ତ, ଶାରୀ, କୋଇଲିହେରିକା ହେଲେ ଆମ ଭିତରେ ଶିଳ୍ପୀ । ପକ୍ଷୀଜାତିର ସଭ୍ୟତା, ସଂସ୍କୃତି ଏହିମାନଙ୍କ ଯୋଗୁଁ ବଞ୍ଚିଛି । ଏମାନଙ୍କୁ ସାହାଯ୍ୟ ନ କଲେ ଆମ ଜୀବନ ବୃଥା ।"
କେହି ଜାଣନ୍ତି ନାହିଁ, ବଗ କେତେବେଳୁ ଆସି ସେମାନଙ୍କଠାରୁ ଅଳ୍ପ ଦୂରରେ ଗୋଟାଏ ଥୁଣ୍ଟା ଗଛର ଡାଳରେ ଦୁଇପଟକୁ ଡେଣା ମେଲାଇ ଗୁମ୍ ମାରି ବସିଛି । ବଗ ସବୁଦିନେ ଗମ୍ଭୀର । କାହା ସଙ୍ଗେ ବେଶି କଥାବାର୍ତ୍ତା କରେନା-ମିଳାମିଶା ମଧ୍ୟ କରେନା; ନିଜକୁ ବଡ଼ ଧାର୍ମିକ ବ୍ୟକ୍ତି ବୋଲି ସବୁବେଳେ ପରିଚୟ ଦେଇ ବୁଲେ । କିନ୍ତୁ ଶୁଆ କହେ, "ବଗ ମସ୍ତବଡ଼ ଠକ, ସ୍ଵାର୍ଥପର । ପାଣିକୁଆ ସିନା ବୁଡ଼ି ବୁଡ଼ି ମାଛ ଖାଏ ! ବଗ ଧ୍ୟାନ କଲାଭଳି ବସିଥିବ, ହେଲେ ଅସଲରେ ଛକିଥିବ, ମିନଟିଏ କେତେବେଳେ ମୁଣ୍ଡ ଟେକୁଛି ।" ଶାରୀ କହେ, "ବଗ ଟିକିଏ ଗୋରା ବୋଲି ତା' ମନରେ ବଡ଼ ଗର୍ବ । କଳା ଓ ଅନ୍ୟ ରଙ୍ଗର ଚଢ଼େଇମାନଙ୍କୁ ସେ ଘୃଣା କରେ । କାଉ କଳା, ତେଣୁ ବଗ ତାକୁ ପାଖ ପୁରାଏ ନାହିଁ । ପକ୍ଷୀ ଜଗତର ଶ୍ରେଷ୍ଠ ସ୍ଵରଶିଳ୍ପୀ କୋଇଲିର ରଙ୍ଗ କଳା ବୋଲି ତାକୁ ମଧ୍ୟ ବଗ ଖାତିର କରେ ନାହିଁ । ତା' ମନରେ କଳାଗୋରା ଭେଦଭାବ ଖୁବ୍ ବେଶି ।"
କାଉ ଏଡ଼େ ପାଟିରେ କଥା କହୁଥିବା ଶୁଣି ବଗ ଆଉ ସହି ପାରିଲା ନାହିଁ । ସେ ଉଦ୍ଧତ କଣ୍ଠରେ ବିଦ୍ରୂପ କରି କହିଲା-
"କକ୍କ୍ଵକ୍ଵ-କକ୍କ୍ଵକ୍ଵ !"
"ହେ ମୂର୍ଖ କଳା କାଉ, ବେଶିଗୁଡ଼ାଏ ରାଉ ରାଉ ହୁଅ ନାହିଁ । ଶିଳ୍ପୀମାନଙ୍କ ପାଇଁ ତୋର ହୃଦୟ କେବେଠାରୁ ଏତେ ବ୍ୟାକୁଳ ହେଲା ? ଏହି ହଳଦିବସନ୍ତ, କୋଇଲି ଆଦି ଶିଳ୍ପୀମାନଙ୍କ ପାଇଁ ମୋର ତିଳାର୍ଦ୍ଧେ ହେଲେ ଦୟା ନାହିଁ । ଏମାନେ ହେଲେ ବିଦେଶୀ । ବର୍ଷଯାକ ଏମାନେ କୋଉଠି ଥା'ନ୍ତି ? ଏମାନେ ଜନ୍ମଭୂମିର ଖରା ସହିବେ ନାହିଁ, ବର୍ଷା ସହିବେ ନାହିଁ, ଶୀତ ସହିବେ ନାହିଁ ! ଏଇ ବସନ୍ତ ଋତୁ ଆସିଲେ ଦଳ ଦଳ ହୋଇ ଆସି ନାନା ଢଙ୍ଗ ଦେଖାଇ ଆମ ଆହାର ଉପରେ ଭାଗ ବସାଇବେ । ଏମାନଙ୍କର ଭଲା ଜନ୍ମଭୂମି ପ୍ରତି ମମତା ଅଛି !"
ହଳଦିବସନ୍ତ ବଗର ଏହି ଅପବାଦରେ ଭାରି ଦୁଃଖିତ ହେଲା; ଟିକିଏ ରାଗିଗଲା ମଧ୍ୟ । ତଥାପି ତା'ର ସ୍ଵଭାବସୁଲଭ ମଧୁର ଗଳାରେ କହିଲା, "କୁଳୁରୁ କୁଳୁ-କୁଳୁରୁ କୁଳୁ । ଦେଖା ଭାଇ ବଗ, ଆମେ ହେଲୁ ଶିଳ୍ପୀ । ସମଗ୍ର ବସୁଧା ଆମର ଜନ୍ମଭୂମି । ଆମେ କାହାକୁ ପର ଭାବୁ ନାହୁଁ । ସମସ୍ତେ ଆମ ନିଜର ।"
କିନ୍ତୁ କାଉକୁ ଏତେ କଅଁଳେଇ କରି କହି ଆସେନା । ସେ କର୍କଶଭାବେ ଭର୍ତ୍ସନା କରି କହିଲା, “ତୁମେ ଅତି ସ୍ଵାର୍ଥପର, ଅସାମାଜିକ ଓ ଅହଙ୍କାରୀ । ବିପଦବେଳେ ପଡ଼ୋଶୀମାନଙ୍କୁ ସାହାଯ୍ୟ କରିବା ଦୂରେ ଥାଉ, ଯିଏ ଏଭଳି ଅସହିଷ୍ଣୁ ଭାବ ଦେଖାଏ ସେ ଅତି କ୍ଷୁଦ୍ରମନା ।"
କାଉ କଥା ଶୁଣି ସବୁ ଚଢ଼େଇ ଏକାଥରକେ ବୋବାଇ ଉଠିଲେ- କା-କା-କା-ଚିରିଂ-ଚିରିଂ-ଚିରିଂ-କୁଳୁରୁ-କୁଳୁ-କୁଳୁରୁ-କୁଳୁ । ସମ୍ମିଳିତ ଭାବେ ସେମାନେ ବଗର ସ୍ଵଭାବକୁ ନିନ୍ଦା କଲେ । ବଗ ଅପମାନରେ ସେଠୁ ଉଡ଼ି ଚାଲିଗଲା । ଏହି ସମୟରେ କୁଆଡ଼ୁ ଆସି ସେଠି ପହଞ୍ଚିଗଲା କଜଳପାତି । ତାକୁ ଦେଖି ସବୁ ଚଢ଼େଇ ପୁଣି ଥରେ ବୋବେଇ ଉଠି ସ୍ଵାଗତ ଜଣାଇଲେ । କଜଳପାତି ପକ୍ଷୀସମାଜରେ ମଧ୍ୟସ୍ତର କାମ କରେ । ଭଲଲୋକି କରି କଳିକଜିଆ ମେଣ୍ଟାଇ ଦିଏ । ଭଲରେ ନ ମେଣ୍ଟିଲେ କଜଳପାତି ନିଜର ଶକ୍ତି ଖଟାଇବାକୁ ବି ଭୁଲେ ନାହିଁ । ତା'ର ଟାଣୁଆ ମୁନିଆ ଥଣ୍ଟରେ ସେ ଛେଳି, ମେଣ୍ଢା, ଗୋରୁଗାଈଙ୍କ ପିଠିକି ମଧ୍ୟ ହାଣି ଖଣ୍ଡିଆ କରିଦିଏ । ତେଣୁ ପକ୍ଷୀମାନେ ତାକୁ ଶ୍ରଦ୍ଧା କରନ୍ତି, ଟିକିଏ ଭୟ ମଧ୍ୟ କରନ୍ତି ।
"ଚ୍ୟାଙ୍ଗ୍ ଚ୍ୟାଙ୍ଗ୍ ! ଚ୍ୟାଙ୍ଗ୍ ଚ୍ୟାଙ୍ଗ୍- କଥା କ'ଣ ? କଥା କ'ଣ ? ହଳଦିବସନ୍ତ ଦୁହିଁଙ୍କ ମୁହଁ ଏମିତି ଶୁଖିଯାଇଛି କାହିଁକି ?" କାଉ ହଳଦିବସନ୍ତଙ୍କର ସମସ୍ତ ଦୁରବସ୍ଥା ଜଣାଇଲା । ତା'ପରେ କହିଲା, "ଦେଖ ବନ୍ଧୁ, ମା' ହଳଦିବସନ୍ତ ନିକଟରେ ଅଣ୍ଡା ଦେବ । ମାତ୍ର ବୁଢ଼ା ମାଙ୍କଡ଼ ତିନି ତିନି ଥର ସେମାନଙ୍କ ବସା ଭାଙ୍ଗିଦେଲାଣି । ତା'ର ଦାଉ ବଡ଼ ଅସହ୍ୟ ହେଲାଣି ।"
ସମଦୁଃଖୀ କଜଳପାତି ମାଙ୍କଡ଼ ପାଖକୁ ଗଲା । ବରଗଛରେ ଗୋଟାଏ ଡାଳରେ ବସି ଆଉ ଗୋଟାଏ ଡାଳକୁ ଆଉଜି ବୁଢ଼ା ମାଙ୍କଡ଼ ଘୁମାଉଛି । କଜଳପାତି ତା'ମୁଣ୍ଡ ଉପରେ ଚକ୍କର କାଟି ଉଡ଼ି ବୋବାଇ ଲାଗିଲା-
ଚ୍ୟାଙ୍ଗ୍ ଚ୍ୟାଙ୍ଗ୍ ! ଚ୍ୟାଙ୍ଗ୍ ଚ୍ୟାଙ୍ଗ୍ !
ବୁଢ଼ା ମାଙ୍କଡ଼ର ନିଦ ଭାଙ୍ଗିଗଲା । ସେ କେତେଥର ତା'ର ଦୁଇ ଗାଲକୁ କୁଣ୍ଡାଇ ସାରି ବିରକ୍ତିରେ ନାଲି ଆଖି ଦେଖାଇ ପଚାରିଲା, "ଖଁ କା ଖେଁ ! ଖଁ କା ଖେଁ !- କିଏରେ ତୁ ? କ'ଣ କହୁଛୁ ?"
ଚ୍ୟାଙ୍ଗ୍ ଚ୍ୟାଙ୍ଗ୍- "ମୁଁ କଜଳପାତି । ବିଚରା ହଳଦିବସନ୍ତର ବସା ଭାଙ୍ଗିବା କ'ଣ ତୁମର ଉଚିତ ହେଉଛି ?"
"ହୁଁଃ ! ଖଁ କା ଖେଁ- ଉଚିତ ଅନୁଚିତ ମୁଁ ବୁଝେ ନାହିଁ । ଗଛ ଡାଳରେ ଡେଇଁ ବୁଲିବା ମୋର ଅଭ୍ୟାସ। ଆମେ ବଳଶାଳୀ । ଆମର ଯା' ଇଛା ଆମେ ତା' କରିବୁ । ଯୋର ଯା'ର ମୁଲକ ତା'ର ।"
କଜଳପାତି ତା'ପରେ ବହୁପ୍ରକାର ବୁଝାଇଲା; ମାତ୍ର ଗଉଁଆ ମାଙ୍କଡ଼ ତା' କଥା ବୁଝିଲା ନାହିଁ । କଜଳପାତିର ସବୁ କଥା ତା'ର ଏ କାନରେ ପଶି ସେ କାନରେ ବାହାରିଗଲା । ଶେଷରେ ସେଥିରୁ ନିରସ୍ତ ହୋଇ କଜଳପାତି କହିଲା, "ତା'ହେଲେ ମୁଁ ରାଜାଙ୍କ ପାଖେ ତୁମ ନାମରେ ଫେରାଦ ହେବି ।"
ବୁଢ଼ା ମାଙ୍କଡ଼ ତାଚ୍ଛଲ୍ୟ କରି କହିଲା, "ଖଁ କା ଖେଁ ! କରନା ଫେରାଦ ! ମୁଁ ତୁମ ରାଜାଙ୍କୁ ଡରିଛି ନା ମକଦ୍ଦମାକୁ ପରୁଆ କରିଛି ?"
ରାଜାଙ୍କ ଦରବାର । ବୀରାଧିବୀରବର ପ୍ରବଳ ପ୍ରତାପୀ ଶ୍ରୀ ଶ୍ରୀ କଣ୍ଟକଜିହ୍ଵ ଭଲ୍ଲୁକ ମହାରାଜ ସିଂହାସନ ଉପରେ ଉପବେଶନ କରିଛନ୍ତି । ପାଖରେ ଆଉ ଗୋଟିଏ ଆସନରେ ବସିଛନ୍ତି ପ୍ରଧାନମନ୍ତ୍ରୀ ମହାଶୟ ଶ୍ରୀଯୁକ୍ତ ହୀନବୁଦ୍ଧି ଜମ୍ବୁକ ପ୍ରବର । ସେନାପତି ଶ୍ରୀଯୁକ୍ତ ତୀକ୍ଷ୍ଣଦନ୍ତ ବୃକ ଚତୁର୍ଦ୍ଦିଗକୁ ଆରକ୍ତ ନୟନରେ ଦୃଷ୍ଟିନିକ୍ଷେପ କରି ଦରବାରରେ ଖଡ଼୍ଗହସ୍ତେ ଦୃପ୍ତ ଭଙ୍ଗୀରେ ଦଣ୍ଡାୟମାନ । ପାରିଷଦମାନଙ୍କ ମଧ୍ୟରେ ଅରଣ୍ୟର ପଶୁଜଗତର କୋକୀ, କଟାଶ, ଠେକୁଆ, ଗୁଣ୍ଡୁଚିମୂଷା, କୁଟ୍ରା, ଓ ଝିଙ୍କ ଆଦି-ସରୀସୃପ ଜଗତର ଅଜଗର, ଅହିରାଜ, ଗୋଖର ଓ ଗୋଧି ଆଦି-ଏବଂ ପକ୍ଷୀଜଗତର ଚିଲ, ଶାଗୁଣା, ମୟୂର, ଶୁଆ, କାକତୁଆ, ପାରା, ପେଚା ଓ ବୁଲ୍ବୁଲ୍ ଆଦି ସ୍ୱ ସ୍ୱ ଆସନ ଅଳଙ୍କୃତ କରି ରାଜାଙ୍କ ମୁହଁକୁ ଚାହିଁ ବସିଅଛନ୍ତି । ସେ ବଣରେ ସିଂହ, ବାଘ ଓ ହାତୀ ନ ଥିବାରୁ ସମସ୍ତେ ମିଳିମିଶି ଭାଲୁକୁ ରାଜା କରିଛନ୍ତି । ସମସ୍ତଙ୍କର ସମର୍ଥନ ପାଇ ଭାଲୁ ମଧ୍ୟ ନିରଙ୍କୁଶଭାବେ ଶାସନକାର୍ଯ୍ୟ ଚଲାଉଛି । ଆଜି ଦରବାରରେ ଚାଲିଛି ମାଙ୍କଡ଼ ବିରୋଧରେ ମକଦ୍ଦମା । ତେଣୁ ସମସ୍ତେ ଉଦ୍ଗ୍ରୀବ ହୋଇ ରାଜାଙ୍କ ରାୟ ଶୁଣିବା ପାଇଁ ଅପେକ୍ଷା କରିଛନ୍ତି ।
ହଳଦିବସନ୍ତ ପକ୍ଷରେ ସାକ୍ଷ୍ୟ ଦେଉଛନ୍ତି ଗାଙ୍ଗୋଇ, କୋଇଲି ଓ କଜଳପାତି । ବୁଢ଼ା ମାଙ୍କଡ଼ ପକ୍ଷରେ ସାକ୍ଷୀ ଦେବାକୁ ଆସିଛନ୍ତି ପାତି ମାଙ୍କଡ଼ ଓ ଶାଳିଆପତନି । ହଳଦିବସନ୍ତ ପାଇଁ କାଉ ଓକିଲାତି କରି ପ୍ରମାଣ କରିଦେଲା ଯେ ମାଙ୍କଡ଼ ଦୋଷୀ । ରାଜା କାଉର ଯୁକ୍ତିକୁ ହୃଦୟଙ୍ଗମ କରି ରାୟ ଦେଲେ, "ବୁଢ଼ା ମାଙ୍କଡ଼ ବିନା ଦୋଷରେ ବାରମ୍ବାର ହଳଦିବସନ୍ତଙ୍କର ବସା ଭାଙ୍ଗିଥିବାରୁ ସେ ହିଁ ଦୋଷୀ । ତାକୁ କଠିନ ଦଣ୍ଡ ଦିଆଯିବ ।"
ରାଜାଙ୍କ ରାୟ ଶୁଣି ଚଢ଼େଇମାନେ ଆନନ୍ଦରେ ବୋବାଇ ଉଠିଲେ । ମାତ୍ର ମାଙ୍କଡ଼ ଦୁଇ ଗୋଡ଼ରେ ଠିଆ ହୋଇ ଦୁଇ ହାତ ଯୋଡ଼ି କହିଲା, "ଧର୍ମାବତାର, ଆପଣଙ୍କର ଆଦେଶ ଶିରୋଧାର୍ଯ୍ୟ । ମାତ୍ର ଆପଣ କେବଳ ଆଗକୁ ଚାହିଁ ବିଚାର କରିଛନ୍ତି । ଏବେ ଟିକିଏ ପଛକୁ ଚାହିଁ ବିଚାର କରନ୍ତୁ । କାରଣ ଅଗପଛକୁ ଚାହିଁ ବିଚାର ନ କଲେ ବିଚାର ଏକତରଫା ହୋଇଯିବାର ଆଶଙ୍କା ଅଛି ।"
ରାଜା ପଛକୁ ଚାହିଁ ଦେଖିଲେ, ସିଂହାସନ ପଛପଟେ ଗୋଟିଏ ବିଶାଳ ପାଚିଲା ପଣସ ଥୁଆହୋଇଛି । ତାକୁ ଦେଖି ରାଜାଙ୍କ ମନ ଭଳିଗଲା । ସେ ସଙ୍ଗେ ସଙ୍ଗେ ବିଚାର ବଦଳାଇ ଦେଇ ରାୟ ଦେଲେ, "ପ୍ରକୃତରେ ହଳଦିବସନ୍ତ ହିଁ ଦୋଷୀ । ସେ ହିଁ ଦଣ୍ଡ ପାଇବ ।"
କାଉ ବିଚଳିତ ହୋଇ କହିଲା, "କା' କା' କା'-ନା' ନା' ନା'-ମହାରାଜ ! ହଳଦିବସନ୍ତର ଦୋଷ କ'ଣ ?"
ରାଜା କହିଲେ, "ଆରେ ନିର୍ବୋଧ କାକ, ବଳବାନ୍ ଜୀବ । ପୁନଶ୍ଚ ସେ ଶାଖାମୃଗ ଅଟେ । ତା'ର ପ୍ରକୃତି, ସେ ଗଛ ଡାଳରେ ଡେଇଁବଇଁ ଡେଇଁବ ।"
କାଉ କହିଲା, "ସେ ଗଛ ଡାଳରେ ଡେଇଁପାରେ । ମାତ୍ର ଡେଇଁକରି ସେ ହଳଦିବସନ୍ତର ବସା ଭାଙ୍ଗିବ କାହିଁକି ?"
ରାଜା କହିଲେ, "ମାଙ୍କଡ଼ ଯେଉଁ ଡାଳରେ ଡେଇଁବ, ହଳଦିବସନ୍ତ ଆଗ ସେ ଡାଳରେ ବସା କରିବ କାହିଁକି ? ହଳଦିବସନ୍ତ ହିଁ ଦୋଷୀ । ତାକୁ ଜେଲ୍ ଓ ଜୋରିମାନା ଦଣ୍ଡ ଉଭୟ ଦିଆଯିବ ।"
ମାଙ୍କଡ଼ ମହାଆନନ୍ଦରେ ରାଜାଙ୍କୁ ସଲାମ୍ ଠୁଙ୍କି ଡେଇଁ ଡେଇଁ ଦରବାର ତ୍ୟାଗ କଲା । ଚଢ଼େଇମାନେ ନିରାଶ ହୋଇ ନିରୁପାୟଭାବେ ଦଳବାନ୍ଧି ନୀରବରେ ଫେରିଗଲେ । ରାଜାଙ୍କର ହଠାତ୍ ଏପରି ବିଚାର ବଦଳିଯିବାର କାରଣ ବିଦ୍ଧିମାନ କାଉ ବୁଝିପାରିଲା ନାହିଁ ।
ସେମାନେ ଅଳ୍ପ ଦୂର ଯାଇଛନ୍ତି କି ନାହିଁ, କଜଳପାତି ଦେଖିଲା, ଘରଚଟିଆ ତା'ର ଟିକି ଟିକି ଡେଣାଦୁଇଟି ହଲାଇ ତୀର ବେଗରେ ତାଙ୍କ ପଛେ ପଛେ ଛୁଟିଛି । କାରଣ କ'ଣ ଜାଣିବାକୁ ସେ ଅନ୍ୟ ଚଢ଼େଇମାନଙ୍କୁ ଅପେକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଲା । ଘରଚଟିଆ ଅଣନିଃଶ୍ଵାସୀ ହୋଇଯାଇଥାଏ । ସେ କହିଲା -
"ଚିଂ-ଚିକିଂ-ଚିଂ-ଚିଂ-ଚିକିଂ-ଚିଂ-ଭାଇମାନେ, ମୁଁ ରାଜାଙ୍କ ସିଂହାସନ ପଛ କାନ୍ଥ କୁରାରେ ବସା କରିଥାଏ । ମୁଁ ଦେଖିଛି, ବୁଢ଼ା ମାଙ୍କଡ଼ ବହୁ ଆଗରୁ ମନ୍ତ୍ରୀଙ୍କୁ ହାତକରି ରାଜସିଂହାସନ ପଛପଟେ ଗୋଟାଏ ପଣସ ଲାଞ୍ଚସ୍ୱରୂପ ରଖିଦେଇଥିଲା । ଲାଞ୍ଚ ପାଇ ରାଜା ଏପରି ବିଚାର ବଦଳାଇ ଦେଲେ ।"
କାଉ ଏ କଥା ଶୁଣି ବଡ଼ ଉତ୍ତ୍ୟକ୍ତ ହୋଇଗଲା । କା' କା' ରଡ଼ିରେ ସେ ଚଉଦିଗ କମ୍ପାଇ ଦେଲା । ତା' ରଡ଼ି ଶୁଣି ଶହ ଶହ କାଉ, କଜଳପାତି, ଚିଲ ଓ ଶାଗୁଣା ଆଦି ପକ୍ଷୀ କୁଆଡ଼ୁ ଉଡ଼ିଆସି ଜମା ହୋଇଗଲେ । ସେମାନେ ଏକାଠି ବସି ସ୍ଥିର କଲେ- "ସମସ୍ତେ ମିଶି ଏଭଳି ଲାଞ୍ଚୁଆ ରାଜା ଓ ମନ୍ତ୍ରୀଙ୍କୁ ଆକ୍ରମଣ କରିବେ ଓ ସିଂହାସନରୁ ତଡ଼ିଦେବେ ।"
ପକ୍ଷୀବାହିନୀ ଛୁଟିଆସିଲେ ରାଜାଙ୍କ ଅଭିମୁଖରେ । ସବା ଆଗରେ ଥାଏ ଶଙ୍ଖଚିଲ । ସେ ଶଙ୍ଖ ଫୁଙ୍କୁଥାଏ-କେଁ ଏଇଁ ଏଁ-କେଁ ଏଇଁ ଏଁ । ତା' ପଛକୁ ଡାମରାକୁଆ ଓ ତା'ର ଶତ ଶତ କୁଆବାହିନୀ । ତା' ପଛକୁ ଶହ ଶହ କଜଳପାତି ଓ ତା' ପଛକୁ ଦଳକୁ ଦଳ ଅନ୍ୟାନ୍ୟ ପକ୍ଷୀ। ସମସ୍ତେ ଏକାବେଳକେ ରାଜାଙ୍କ ନଅର ଭିତରେ ପଶିଗଲେ । ଦେଖିଲେ, ଭଲ୍ଲୁକ ମହାରାଜ ଶୃଗାଳ ମନ୍ତ୍ରୀଙ୍କ ସହିତ ଏକତ୍ର ବସି ସେହି ପାଚିଲା ପଣସଟିକୁ ମହାଆନନ୍ଦରେ ଖାଇ ଲାଗିଛନ୍ତି । ଗୁଣ୍ଡୁଚି ମୂଷା ମଞ୍ଜି ବାହାର କରି ଖୋସାଟିମାନ ବଢ଼ାଇ ଦେଉଛି ଶୃଗାଳ ମନ୍ତ୍ରୀଙ୍କୁ । ଆଉ ସ୍ୱୟଂ ବୁଢ଼ା ମାଙ୍କଡ଼ ଗୋଟି ଗୋଟି କରି ପଣସ ଖୋସା ବଢ଼ାଇ ଦେଉଛି ଭାଲ୍ଲୁକ ମହାରାଜାଙ୍କ ପାଟିକି ।
ପକ୍ଷୀମାନେ ଏ ଦୃଶ୍ୟ ଦେଖି ଆହୁରି ରାଗିଗଲେ ଏବଂ ମହା କୋଳାହଳ କରି ଲାଞ୍ଚଖିଆ ରାଜା, ମନ୍ତ୍ରୀ ଓ କର୍ମଚାରୀମାନଙ୍କୁ ଖୁମ୍ପିଲାଗିଲେ । କୁଆମାନଙ୍କରେ ଥଣ୍ଟର ଆଘାତରେ ବୁଢ଼ା ମାଙ୍କଡ଼ ଖଣ୍ଡିଆଖାବରା ହୋଇଗଲା । ଶୃଗାଳ ଯେତେ ଲୁଚିଲେ ମଧ୍ୟ ଚିଲମାନଙ୍କ ଆକ୍ରମଣରୁ ରକ୍ଷା ପାଇପାରିଲା ନାହିଁ । ଶେଷକୁ କଜଳପାତି ଭାଗରେ ଭଲ୍ଲୁକ ମହାରାଜ । ତାଙ୍କର ଲୋମଶ ଦେହ ଅଳ୍ପ କାଳ ମଧ୍ୟରେ ଲୋମଶୂନ୍ୟ ହୋଇଗଲା ।
ଶବ୍ଦାର୍ଥ
ବିହଙ୍ଗ ବିପ୍ଳବ - ପକ୍ଷୀମାନଙ୍କ ଆନ୍ଦୋଳନ
ବିହଙ୍ଗ - ବିହଗ, ବିହଙ୍ଗମ, ପକ୍ଷୀ
ବିପ୍ଳବ - ସମାଜରେ ଏକ ନୂଆଧାରା, ନୂଆ ଭାବନା ଅଣୁଥିବା ଆନ୍ଦୋଳନ
ବୁଢ଼ା ମାଙ୍କଡ଼ - ଏଠାରେ ହନୁମାଙ୍କଡ଼କୁ ବୁଝାଉଛି
ଅହଙ୍କାରୀ - ଗର୍ବୀ
ଗାଙ୍ଗୋଇ - ମାଛରଙ୍କା ପକ୍ଷୀ
ଦୁରବସ୍ଥା - ମନ୍ଦ ଅବସ୍ଥା
ଗଉଁଆ - ଗର୍ବୀ
ପରୁଆ - ପରଚାୟ, ଖାତିର
ତାଚ୍ଛଲ୍ୟ - ବେଖାତିର
ଜମ୍ବୁକ - ବିଲୁଆ
ବୃକ - ହେଟାବାଘ, ହୁଣ୍ଡାଳ, ହୁଣ୍ଡାବାଘ
ଦୃପ୍ତ - ଉଦ୍ଧତ, ଦର୍ପଯୁକ୍ତ
ନିରଙ୍କୁଶ - ବିନା ବାଧାରେ
ଉଦ୍ଗ୍ରୀବ - ଅତ୍ୟନ୍ତ ବ୍ୟଗ୍ର ବା ଆଗ୍ରହାନ୍ଵିତ
ଶାଳିଆପତନି - ଗନ୍ଧମାର୍ଜାର, ଏକ ପ୍ରକାର ବଣୁଆ ବିଲେଇ
ଶିରୋଧାର୍ଯ୍ୟ - ଅବଶ୍ୟ ଗ୍ରହଣୀୟ
ଶାଖାମୃଗ - ମାଙ୍କଡ଼
ସଲାମ୍ ଠୁଙ୍କି - ସଲାମ୍ କରି
ପ୍ରଶ୍ନାବଳୀ
ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ । ଉତ୍ତର ତଳେ କମେଣ୍ଟ କରି ଜଣାଇବାକୁ ଅନୁରୋଧ ।
୧। ଭାଲୁକୁ ବଣରେ ରାଜା କରାଯାଇଥିଲା କାହିଁକି ?
୨। ଭାଲୁ ସେ ବଣରେ ନିରୁଙ୍କୁଶ ଶାସନ ଚଳାଇବାର କାରଣ କ'ଣ ?
୩। କାଉର ଯୁକ୍ତିରେ ଭାଲୁ ରାଜାର କି କଥା ହୃଦୟଙ୍ଗମ ହୋଇଥିଲା ?
୪। ଆଗକୁ ପଛକୁ ଚାହିଁ ବିଚାର କରିବା ଉଚିତ—ଏହାର ତାତ୍ପର୍ଯ୍ୟ ବୁଝାଅ ?
୫। ରାଜାଙ୍କ ରାୟ ବଦଳିଲା କାହିଁକି ?
୬। ଘରଚଟିଆ ସମସ୍ତ ଗୁପ୍ତ ଖବର ପାଇଲା କିପରି ?
୭। ଘରଚଟିଆଠୁ ଖବର ପାଇ ପକ୍ଷୀମାରେ କ'ଣ ସ୍ଥିର କଲେ ?
୮। ପକ୍ଷୀମାନେ ରାଜାଙ୍କ ନଅରରେ ପଶି କ'ଣ ଦେଖିଲେ ?
୯। କଜଳପାତି ବୁଢ଼ା ମାଙ୍କଡ଼କୁ ହଳଦିବସନ୍ତ କଥା କହିବାରେ ବୁଢ଼ା ମାଙ୍କଡ଼ କ'ଣ କହିଲା ?
୧୦। କାଉ ବଗକୁ ସ୍ଵାର୍ଥପର, ଅସାମାଜିକ ଓ ଅହଙ୍କାରୀ ବୋଲି କହିବାର ଯଥାର୍ଥତା କ'ଣ ?
୧୧। କଜଳପାତିକୁ ପକ୍ଷୀମାନେ ଉଭୟ ଭୟ ଓ ଶ୍ରଦ୍ଧା କରନ୍ତି କାହିଁକି ?
୧୨। ଜମ୍ବୁକକୁ ବୁଦ୍ଧିମାନ୍ ବୋଲି ଗ୍ରହଣ କରାଯାଇଛି କାହିଁକି ?
୧୩। ଏହି ଗଳ୍ପରେ ଦ୍ଵନ୍ଦାତ୍ମକ ଉକ୍ତି (oxymoron) କିଏ, ଓ କେଉଁଠି ବ୍ୟବହାର କରିଛି ? ଉଲ୍ଲେଖଯୋଗ୍ୟ କି "ବିହଙ୍ଗ ବିପ୍ଲବ" ଶୀର୍ଷକ ଟି ନିଜେ ଗୋଟିଏ ଦ୍ଵନ୍ଦାତ୍ମକ ଉକ୍ତି ।
୧୪। ପଶୁପକ୍ଷୀ ମାନେ କରୁଥିବା ଶବ୍ଦ ସବୁ (onomatopoeia) ଉଲ୍ଲେଖ କର—ହଳଦିବସନ୍ତ, କୁଆ, ଗାଙ୍ଗୋଇ, ବଗ, କଜଳପାତି, ବୁଢ଼ା ମାଙ୍କଡ଼, ଘରଚଟିଆ, ଶଙ୍ଖଚିଲ ଆଦି କରୁଥିବା ଶବ୍ଦ ।




