Music

ରାଧାନାଥ ଯୁଗ ବା ଆଧୁନିକ ଯୁଗ (୧୮୮୦ - ୧୯୦୮ ) | RADHANATH JUGA

Adhunik Juga | Radhanatha Juga | Odia Radhanath juga Ra Sahitya | Radhanath sahitya | Radhanath Sahitya Juga

୧୮୦୩ ମସିହାରେ ଇଂରେଜମାନଙ୍କର ଓଡିଶା ଅଧିକାର ପରେ ପାଶ୍ଚାତ୍ୟ ଶିକ୍ଷା , ସଭ୍ୟତା ଓ ସଂସ୍କତିର ପ୍ରଭାବ ଓଡିଶାରେ ଅନୁଭୂତ ହେଲା । ପତ୍ର ପତ୍ରିକା ଓ ମୁଦ୍ରଣ ଯନ୍ତ୍ର ବ୍ୟବହାର ଫଳରେ ଆଧୁନିକ ସାହତ୍ୟ ବିକାଶ ଲାଭ କଲା । ଫଳରେ ନୂତନ ଚିନ୍ତାଧାରାରେ ପଦ୍ୟ ସାହିତ୍ୟ ଏବଂ ଗଦ୍ୟ ସାହିତ୍ୟ ସୃଷ୍ଟି ହେଲା । ଏ ଯୁଗରେ ମହାଜାତୀୟ ଭାବ ସୃଷ୍ଟି ହେଲା । ଏ ଯୁଗରେ ସାହିତ୍ୟରେ ବିଭିନ୍ନ ବିଭାଗର ଉନ୍ନତି ସାଧିତ ହୋଇଥିଲା । ପଦ୍ୟ ,ଗଦ୍ୟ , ନାଟକ , ଉପନ୍ୟାସ , କ୍ଷୁଦ୍ରଗଳ୍ପ , ଏକାଙ୍କିକା , ଗୀତିକବିତା, ସମ୍ବାଦପତ୍ର ପ୍ରକୃତିର ବିଶେଷ ପ୍ରସାର ଘଟିଲା । ତେଣୁ ଆଧୁନିକ ସାହତ୍ୟ ବହୁମୁଖୀ ହୋଇଉଠିଲେ । ମୁଖ୍ୟତଃ ରାଧାନାଥଙ୍କ ନାମରେ ଏ ଯୁଗକୁ ନାମିତ କରାଯାଇଥିଲେ ମଧ୍ୟ ବଡ଼ ସମାଲୋଚକ ଏ ଯୁଗକୁ ବିଭିନ୍ନ ସାହତ୍ୟରଥୀଙ୍କ ନାମାନୁସାରେ ନାମିତ କରିଛନ୍ତି । ଗଦ୍ୟ ଓ ଉପନ୍ୟାସ ସାହତ୍ୟର ବିକାଶ ଦୃଷ୍ଟି ରୁ କେତେକ ଆଧୁନିକ ଯୁଗକୁ ଫକୀରମୋହନ ଯୁଗ ବୋଲି କହୁଥିଲା ବେଲେ ଅନ୍ୟ କେତେକ ନାଟ୍ୟ ସାହିତ୍ୟ ପାଇଁ ରାମଶଙ୍କର ଯୁଗ , ଏବଂ ସମ୍ବାଦ ସାହିତ୍ୟ ପାଇଁ ଗୌରିଶଙ୍କର ଯୁଗ ମଧ୍ୟ କୁହନ୍ତି । ମାତ୍ର ରାଧାନାଥଙ୍କୁ ଆଧୁନିକ ଯୁଗ ସ୍ରଷ୍ଟା ବୋଲି କୁହାଯାଇଥାଏ । ପ୍ରଚଣ୍ଡ ପ୍ରତିଭା ଏବଂ ପାଣ୍ଡିତ୍ୟ ବଳରେ ସେ ଆଧୁନିକ ସାହତ୍ଯର ସକଳ ଦିଗରେ ଉନ୍ନତି ସାଧନ କରିଥିଲେ । ତାଙ୍କ ସୃଷ୍ଟି ଓଡ଼ିଆ କାବ୍ୟ ସାହିତ୍ୟ ପ୍ରାଚ୍ୟ - ପାଶ୍ଚାତ୍ୟ ଚିନ୍ତା ସଂଘର୍ଷରୁ ଜନ୍ମଲାଭ କରିଥିଲା। ସେ ସାହିତ୍ୟରୁ ବିଷୟବସ୍ତୁ ସଂଗ୍ରହ କରି ଆମ ଦେଶର ପାଣିପବନ , ପରିସ୍ଥିତି , ପରିବେଶ ସହିତ ଏପରି ଭାବରେ ଖାପଖୁଆଇ ନୂତନ ଶୈଳୀରେ ସାହିତ୍ୟ ସୃଷ୍ଟି କରଛନ୍ତି ତାହା ପାଠକଲେ ଆଶ୍ଚର୍ଯ୍ୟନ୍ଵିତ ହେବାକୁ ହୁଏ । କବିଙ୍କ କେଦାରଗୌରୀ , ଚନ୍ଦ୍ର ଭାଗା , ନନ୍ଦିକେଶରୀ , ଉଷା , ପାର୍ବତୀ ,ଚିଲିକା , ଦରବାର , ମହାଯାତ୍ରା ପ୍ରଭୃତି ଗୋଟିଏ ଗୋଟିଏ ଅଦ୍ଵିତୀୟ ସୃଷ୍ଟି । ରାଧାନାଥଙ୍କ କବି ପ୍ରତିଭା ସବୁ କାବ୍ୟ କବିତାରେ ନୂତନତାର ସୂଚନା ପ୍ରଦାନ କରିଛି । ରାଧାନାଥଙ୍କ ଯୁଗରୁ ଆମ ଦେଶର ସବୁ କାବ୍ୟ ଥିଲା ମିଲନାନ୍ତକ ; ମାତ୍ର ଯୁଗସ୍ରଷ୍ଟା ରାଧାନାଥ ଏ କ୍ଷେତ୍ରରେ ବ୍ୟତିକ୍ରମ ସୃଷ୍ଟି କରି ସବୁ କାବ୍ୟକୁ ବିୟୋଗାନ୍ତକ କରିଛନ୍ତି । ସେ ନୂତନ ଛନ୍ଦ , ନୂତନ ଶୈଳୀ ମିଳନ ବିଷୟବସ୍ତୁ ଚରିତ୍ର ଚିତ୍ରଣ ଜାତୀୟ ଚେତନା , ପ୍ରକୃତି ବର୍ଣନାରେ ନୂତନ ଆଭିମୁଖ୍ୟ ପ୍ରଦର୍ଶନ କରି ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ।

ଯୁଗସ୍ରଷ୍ଟା ରାଧାନାଥଙ୍କ ସମସାମୟିକ ବ୍ୟାସକବି ଫକୀରମୋହନ , ଭକ୍ତକବି ମଧୁସୂଦନ ରାଓ , ନାଟ୍ୟକାର ରାମଶଙ୍କର ରାୟ ଓ ସାମ୍ବାଦିକ ଗୌରିଶଙ୍କର ରାୟ ପ୍ରମୁଖଙ୍କ ଆପ୍ରାଣ ଚେଷ୍ଟା ଏବଂ ଲେଖନୀ ଚାଳନା ଫଳରେ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଭୃତ ଉନ୍ନତି ସାଧିତ ହୋଇଥିଲା । ବ୍ୟାସକବି ଫକୀରମୋହନ ରାଧାନାଥଙ୍କ ଅଗ୍ରଜ ଥିଲେ ଏବଂ ଭକ୍ତକବି ମଧୁସୂଦନ ରାଧାନାଥଙ୍କ ପ୍ରିୟ ଛାତ୍ର ଥିଲେ । ମାତ୍ର ଏ ତିନିଜଣ ଆଧୁନିକ ଓଡ଼ିଆ ସାହିତ୍ୟର ତ୍ରିବେଣୀ ଭାବରେ ଓଡ଼ିଆ ସାହିତ୍ୟ ଜଗତକୁ ପ୍ଲାବନ କରିଥିଲେ । ଏ ତିନି ଜଣ ଥିଲେ ସତ୍ୟ ଶିବ ସୁନ୍ଦରର ଉପାସକ । ମଧୁସୂଦନଙ୍କ ବସନ୍ତଗାଥା ,ଜୀବନଚିନ୍ତା, କୁସୁମାଞ୍ଜଳି , ଆକାଶପ୍ରତି, ଋଷିପ୍ରାଣେ ଦେବାତରଣ ପ୍ରଭୃତି ଗୀତକବିତାମାନଙ୍କରେ ଔପନିଷଦୀୟ ଚିନ୍ତାଧାରା ସୁସ୍ପଷ୍ଟ । ସେ ଥିଲେ ଦାର୍ଶନିକ ଚିନ୍ତାଧାରାର ପ୍ରଥମ ପ୍ରବର୍ତ୍ତକ । ବ୍ୟାସକବି ଫକୀରମୋହନ କାବ୍ୟ କବିତା ସୃଷ୍ଟି କରିଥିଲେ ମଧ୍ୟ ଓଡ଼ିଆ ଗଦ୍ୟ ସାହତ୍ୟ କ୍ଷେତ୍ରରେ ବାସ୍ତବଧର୍ମୀ ସାହିତ୍ୟ ସୃଷ୍ଟି କରି ଓଡ଼ିଆ ଗଦ୍ୟ ସାହିତ୍ୟର ସ୍ରଷ୍ଟା ବା ଜନକ ଆସନରେ ସମ୍ମାନିତ । କୋଡ଼ିଏଟି କ୍ଷୁଦ୍ରଗଳ୍ପ ଏବଂ ଚାରିଟି ଉପନ୍ୟାସ ଆଧୁନିକ ଓଡ଼ିଆ ସାହତ୍ୟର ଗୋଟିଏ ଗୋଟିଏ ଅଲୋକ ସ୍ତମ୍ଭ ସଦୃଶ । ଫକୀରମୋହନଙ୍କ ଛମାଣ ଆଠଗୁଣ୍ଠ , ମାମୁଁ , ଲଛମା , ପ୍ରାୟଶ୍ଚିତ, ରେବତୀ ପ୍ରଭୃତ ଉପନ୍ୟାସଗୁଡିକୁ ଓଡ଼ିଶାର ଗଣଜୀବନର ଦୀର୍ଘ ଦୁଇଶହ ବର୍ଷର ସମାଜିକ ଇତିହାସ ବୋଲି କୁହାଯାଇଥାଏ । ଏହି ଯୁଗରେ ଅନ୍ୟାନ୍ୟ ଅନେକ କବି ; ନାଟ୍ୟକାର , ଔପନ୍ୟାସିକ , ପ୍ରାବନ୍ଧିକ , ଅନୁବାଦକ ପ୍ରତି ଅନେକ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ଆଧୁନିକ ଯୁଗ ଚେତନାର ଭାବଧାରାରେ ନୂତନ ପ୍ରେରଣା ସୃଷ୍ଟି କରିଥିଲେ ।

ରାଧାନାଥ ଯୁଗର ଅନ୍ୟତମ ବିଶିଷ୍ଟ କବି ହେଲେ ଗଙ୍ଗାଧର ମେହେର ( ୧୮୬୨ – ୧୯ ୨୪ ) । ସମ୍ବଲପୁରର ( ବରଗଡ଼ଜିଲ୍ଲା ) ବରପାଲିରେ ତାଙ୍କର ଜନ୍ମ ଓ କର୍ମ - ସାଧନା । ଜଣେ ସାଧାରଣ ଜୁଡ଼ିସିଏଲ ମୋହରିର ହୋଇ ମଧ୍ୟ ସେ ଯେଉଁ କାବ୍ୟ କବିତା ରଚନା କରିଗଲେ ସେଥିପାଇଁ ଓଡ଼ିଆ ଜାତି ତାଙ୍କୁ ପ୍ରଣାମ ଜଣାଇଥାଏ । ‘ ଇନ୍ଦୁମତୀ ’ , “ କୀଚକ ବଧ ' , ଉତ୍କଳଲକ୍ଷ୍ମୀ ’ , ‘ ପ୍ରଣୟବଲ୍ଲରୀ ' , ତପସ୍ବିନୀ ' , ' ପଦ୍ବିନୀ ' ଆଦି ତାଙ୍କର କାବ୍ୟ । ‘ ଅର୍ଘ୍ୟଥାଳୀ ’ , ‘ କବିତା - କଲ୍ଲୋଳ ’ , ‘ କବିତାମାଳା ” , “ ଭାରତୀ ଭାବନା ’ , “ ଅହଲ୍ୟାସ୍ତବ ’ , ‘ ମହିମା ’ , ‘ କୃଷକସଂଗୀତ ’ ଆଦି ଓଡ଼ିଆ ସାହିତ୍ୟକୁ ତାଙ୍କର ବିଶିଷ୍ଟ ଦାନ ।

ପଲ୍ଲୀକବି ନନ୍ଦକିଶୋର ବଳ
( ୧୮୭୫ - ୧୯୨୮ ) ରାଧାନାଥ ଯୁଗର ଭିନ୍ନ ରୁଚି ଓ ଭିନ୍ନ ଭାବନାର କବି । ସରଳ ସାବଲୀଳ ଲୋକ ମୁଖର ଭାଷାରେ ସେ ରଚନା କଲେ ପଲ୍ଲୀ- କବିତା । ପଲ୍ଲୀ ପ୍ରକୃତି , ପଲ୍ଲୀ - ଜୀବନ , ପଲ୍ଲୀ - ସଂସ୍କୃତି ସବୁ କିଛି ତାଙ୍କ କବିତାମାନଙ୍କରେ ପ୍ରକାଶ ପାଇ ଓଡ଼ିଆ ପାଠକମାନଙ୍କୁ ଗଭୀର ଆନନ୍ଦ ଦେଲା । ତାଙ୍କ ରଚିତ “ ପଲ୍ଲୀଚିତ୍ର ' , ‘ ନିଝରିଣୀ ' , ଜନ୍ମ ଭୂ ମି ’ , ‘ ବସନ୍ତ କୋକିଳ ’ , ‘ ତରଙ୍ଗିଣୀ ' , ‘ ଚାରୁଚିତ୍ର , ‘ ନିର୍ମାଲ୍ୟ , ‘ ପ୍ରଭାତ ସଂଗୀତ ’ , ‘ ସଂଧ୍ୟାସଂଗୀତ ' , ନାନାବାୟା ଗୀତ ' ଆଦି କବିତା ପୁସ୍ତକ ସହିତ ‘ କୃଷକୁମାରୀ ' , ' ଶର୍ମିଷ୍ଠା ’ ଓ ‘ ସୀତା ବନବାସ ’ ପରି କାବ୍ୟ ପାଠକମାନଙ୍କର ଶ୍ରଦ୍ଧା ଅର୍ଜନ କରିଅଛି। ସେ ମଧ୍ୟ "କନକ ଲତା" ନାମରେ ଏକ ଉପନ୍ୟାସ "ଲଷ୍ମୀ" ଶୀର୍ଷକ ଏକ ଗଳ୍ପ ଓ କେତେକ ପ୍ରବନ୍ଧ ଏବଂ ସମାଲୋଚନା ଲେଖିଥିଲେ।





https://blog.odiabook.in

https://blog.odiabook.in/2023/08/radhanath-juga.html



Tag: Odia Radhanath Yuga, Radha natha Sahitya, Fakirmohan Sahitya, Natyakar Ramashankar, Bhakta Kabi MadhuSudan Rao Kabya kabita, Odia Bhasa Sahitya, Odia Bhasa Sahitya Blog, OdiaBhasaSahitya, Odia pathshala Blogspot dot com.

ମୁଖ୍ୟ ବିନ୍ଦୁ:  ରାଧାନାଥ ଯୁଗ, ରାଧାନାଥ ଙ୍କ ସାହିତ୍ୟ, ବ୍ୟାସକବି ଫକୀର ମୋହନ ସାହିତ୍ୟ, ନାଟ୍ୟକାର ରମାଶାଙ୍କର, ଭକ୍ତ କବି ମଧୁସୂଦନ ରାଓ, ଓଡିଆ ଭାଷା ସାହିତ୍ୟ, ଓଡିଆ ଭାଷା ସାହିତ୍ୟ ବ୍ଲଗ, ଓଡ଼ିଆ ଭାଷା ସାହିତ୍ୟ ।

Post a Comment

0 Comments