Music

କୋଲାବିରାର ସଂଗ୍ରାମ କଥା ଓ ଶାସନ ଵ୍ୟଵସ୍ଥା

Kolabira

 ଲେଖକ— ଡକ୍ଟର ଧର୍ମେନ୍ଦ୍ର କୁମାର ମିଶ୍ର

Kolabira Story Of Independence War And System Of Governance In Odia

       କୋଲାବିରାର ସଂଗ୍ରାମ କଥା ଓ ଶାସନ ଵ୍ୟଵସ୍ଥା-  ଝାରସୁଗୁଡା ଜିଲ୍ଲା ସଦର ମହକୁମାଠାରୁ ୪୯ ନମ୍ବର ଜାତୀୟ ରାଜପଥରେ ପୂର୍ବ ଦିଗକୁ ୧୭କିମି ଗଲେ ତେଲେନ ନଦୀ କୂଳରେ ଅବସ୍ଥିତ ଐତିହାସିକ କୋଲାବିରା ଦୁର୍ଗ, ଓଡ଼ିଶାର ସ୍ଵାଧୀନତା ସଂଗ୍ରାମ, ବିଶେଷ କରି ସମ୍ବଲପୁରର ବିପ୍ଳବୀ ବୀର ସୁରେନ୍ଦ୍ର ସାଏ (୧୮୦୯-୧୮୮୪)ଙ୍କ ନେତୃତ୍ବରେ ଚାଲିଥିବା ସଂଗ୍ରାମରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ବାଉଁଶ ବଣ ଘେରା ଏହି ଜରାଜୀର୍ଣ୍ଣ ଦୁର୍ଗର ଗୌରବ ଗାଥା ତଥା ଏହାର ଦ୍ଵିତୀୟ ଜମିଦାର ବୀର କରୁଣାକର ନାଏକଙ୍କ ରକ୍ତ ରଞ୍ଜିତ ସଂଗ୍ରାମ ଇତିହାସ ପୃଷ୍ଠାରେ ‘ଅଗ୍ନିତୀର୍ଥ’ ନାମରେ ପ୍ରସିଦ୍ଧ । ସମ୍ବଲପୁରର ଦଶମ ଚୌହାନ ବଂଶୀୟ ରାଜା ଜୟନ୍ତ ସିଂହ (୧୭୮୧-୧୮୧୮)ଙ୍କ ରାଜତ୍ଵ ସମୟରେ ଅର୍ଥାତ୍ ୧୭୮୫ ମସିହାରେ ୨୭୮ ବର୍ଗମାଇଲ କ୍ଷେତ୍ରଫଳ ବିଶିଷ୍ଟ କୋଲାବିରା ଜମିଦାରୀ ପ୍ରତିଷ୍ଠା ହୋଇଥିଲା । କୁହାଯାଏ ଯେ, ଜୟନ୍ତ ସିଂହଙ୍କ ଦ୍ୱିତୀୟ ରାଣୀ ରାହାସ କୁମାରୀଙ୍କୁ ତାଙ୍କ ଦେୱାନ ବିଶ୍ବମ୍ବର ମହାନ୍ତି ଅପହରଣ କରି ନେଇ ବାମଡା ନିକଟସ୍ଥ ଦୁଇତି ଗଡରେ ରଖିଲା । ଜୟନ୍ତ ସିଂହଙ୍କ ନିର୍ଦ୍ଦେଶରେ ଲଇକେରାରେ ରହୁଥିବା ଗଣ୍ଡ ସର୍ଦ୍ଦାର ସଂସାଧର ସିଂହ ଏବଂ ଲଇଡାରେ ରହୁଥିବା ତାଙ୍କ ଭାଇ ବିଷ୍ଣୁ ନାଏକ, ବିଶ୍ବମ୍ବର ମହାନ୍ତି କବଳରୁ ରାଣୀ ରାହାସ କୁମାରୀଙ୍କୁ ଉଦ୍ଧାର କରି ରାଜା ଜୟନ୍ତ ସିଂହଙ୍କୁ ଫେରାଇ ଦେଇଥିଲେ । ଏଥିରେ ସନ୍ତୋଷ ପ୍ରକାଶ କରି ଜୟନ୍ତ ସିଂହ ସଂସାଧର ସିଂହଙ୍କୁ ନୂତନ କୋଲାବିରା ଜମିଦାରୀର ପ୍ରଥମ ଜମିଦାର ଭାବରେ ନିଯୁକ୍ତି କରିଥିଲେ । ସଂସାଧର ସିଂହଙ୍କ ପୂର୍ବପୁରୁଷମାନେ ୧୩ଶ ଖ୍ରୀ.ଅରେ ଆଧୁନିକ ମଧ୍ୟପ୍ରଦେଶ ଓ ଛତି ଶଗଡର ଗୋଣ୍ଡୱାନା ଅଞ୍ଚଳରେ ରାଜୁତି କରୁଥିଲେ । ସେମାନେ ଅତ୍ୟନ୍ତ ସାହସୀ, ବିଶ୍ବସ୍ତ, ବଳଶାଳୀ ଓ ଯୁଦ୍ଧକୌଶଳରେ ପାରଙ୍ଗମ ଥିଲେ । ୧୪ଶ ଖ୍ରୀ.ଅ. ବେଳକୁ ଗୋଣ୍ଡୱାନା ଅଞ୍ଚଳରରାଜ୍ୟସବୁ ଖଣ୍ଡବିଖଣ୍ଡିତ ହୋଇଗଲା ଓ ଅନେକ ଗଣ୍ଡ ସଂପ୍ରଦାୟର ଜମିଦାର|ଗୌନ୍ତିଆମାନେ ନିକଟସ୍ଥ ସମ୍ବଲପୁର ରାଜ୍ୟକୁ ଆସି ବିଭିନ୍ନ ଅଞ୍ଚଳରେ ସେମାନଙ୍କ ଜନବସତି ସ୍ଥାପନ କରି ରହିଥିଲେ । ଏମାନଙ୍କର ସାହସିକତା ଏବଂ ବିଶ୍ୱସ୍ତନିୟତାକୁ ସମ୍ମାନ ଦେଇ ସମ୍ବଲପୁରର ରାଜାମାନେ ବିଭିନ୍ନ ଅଞ୍ଚଳର ଜମିଦାର ଏବଂ ଗୌନ୍ତିଆ ଭାବରେ ଏମାନଙ୍କୁ ପୁରସ୍କୃତ କରିଥିଲେ । ଏହିପରି ଭାବରେ ୧୬ଟି ଜମିଦାରୀକୁ ନେଇ ଗଠିତ ୧୭୯୧ ବର୍ଗମାଇଲ କ୍ଷେତ୍ରଫଳ ବିଶିଷ୍ଟ ସମ୍ବଲପୁର ରାଜ୍ୟରେ ୧୦ ଜଣ ଗଣ୍ଡ ଜମିଦାର (କୋଲାବିରା, ମଚିଦା, କୋଡାବଗା, ଲଇଡା, ଲୋଇସିଂହା, ଖରସାଲ, ପାହାଡଶ୍ରୀଗିଡା, ଭେଡେନ, ପାଟକୁଲୁଣ୍ଡା ଓ ମାଦୋମହୁଲ), ୨ଜଣ ବିଝାଲ ଜମିଦାର (ବୋଡାସମ୍ବର, ଘେଁସ), ଦୁଇଜଣ ଚୌହାନ ଜମିଦାର (ରାଜପୁର, ବରପାଲି) ଯେଉଁମାନେ କି ସମ୍ବଲପୁର ରାଜାଙ୍କ ବଂଶଧର ଥିଲେ, ଜଣେ କୁଲତା ଜମିଦାର (ବିଜେପୁର) ଏବଂ ରାମପୁରର ଅନ୍ୟ ଜଣେ ଜମିଦାର ଥିଲେ । ସୁରେନ୍ଦ୍ର ସାଏଙ୍କୁ ବିଦ୍ରୋହରେ ସହାୟତା କରିଥିବାରୁ ଏମାନଙ୍କ ମଧ୍ୟରୁ ୯ ଜଣ ଜମିଦାର କୋଲାବିରା, କୋଡାବଗା, ଘେଁସ, ପାଟକୁଲୁଣ୍ଡା, ପାହାଡ ଶ୍ରୀଗି ଡା, ରାମପୁର, ଭେଡେନ, ଖର ସାଲ ଓ ମାଦୋମହୁଲଙ୍କର ଜମିଦାରୀ ବାଜ୍ୟାପ୍ତ ହୋଇଥିଲା । ଏମାନଙ୍କ ମଧ୍ୟରୁ ୬ଜଣ ଜମିଦାର (କୋଲାବିରା, ପାଟକୁ ଲୁ ଣ୍ଡା, କୋଡାବଗା, ରାମପୁର, ଭେଡେନ ଓ ଖରସାଲ)ଙ୍କ ଜମିଦାରୀ ସମ୍ବଲପୁରର ଡେପୁଟୀ କମିଶନର କର୍ଣ୍ଣେଲ ଫୋଷ୍ଟର ତାଙ୍କ ପତ୍ର ସଂଖ୍ୟା ୧୭୯, ତା ୪.୦୮.୧୮୫୮ରେ ଫେରସ୍ତ କରିବାପାଇଁ ଇଂରେଜ ସରକାରଙ୍କୁ ସୁପାରିଶ କରିଥିଲେ ଏବଂ ଏହାକୁ ସ୍ବୀକୃତି ଦେଇ ଗଭର୍ଣ୍ଣମେଣ୍ଟ ଅଫ୍ ବେଙ୍ଗଲ, ଭାରତ ସରକାର, ତାଙ୍କ ପତ୍ର ସଂଖ୍ୟା- ୨୧୪୯, ତା ୨୯.୦୯.୧୮୫୮ରେ ଉକ୍ତ ଜମିଦାରମାନଙ୍କୁ ଫେରାଇ ଦେଇଥିଲେ । ସେ ଯାହାହେଉ, କୋଲାବିରାର ପ୍ରଥମ ଜମିଦାର ସଂସାଧର ସିଂହଙ୍କର ୨ଟି ରାଣୀ ଥିଲେ । ପ୍ରଥମ ରାଣୀଙ୍କ ଏକମାତ୍ର ପୁତ୍ର ନିଳାମ୍ବର ସିଂହ ଥିଲେ । କିନ୍ତୁ ଦ୍ବିତୀୟ ରାଣୀଙ୍କର ୧୧ଜଣ ପୁତ୍ର ଥିଲେ । କରୁଣାକର ନାଏକ ଏମାନଙ୍କ ମଧ୍ୟରେ ଜ୍ୟେଷ୍ଠ ଥିଲେ । ସଂସାଧର ସିଂହ ତାଙ୍କ ସମସ୍ତ ପୁତ୍ରମାନଙ୍କ ମଧ୍ୟରେ ଜମିଦାରୀକୁ ବାଣ୍ଟି ଇଥିଲେ କିନ୍ତୁ କରୁଣାକର ନାଏକଙ୍କୁ ସେ ତାଙ୍କର ଉତ୍ତରାଧିକାରୀ ଘୋଷଣା କରି କୋଲାବିରାର ଦ୍ଵିତୀୟ ଜମିଦାର ଭାବରେ ଅଭିଷେକ କରିଥିଲେ । ତାଙ୍କରି ପାଇଁ ଆଜି କୋଲାବିରା ମାଟି ଅଗ୍ନିତୀର୍ଥର ମାନ୍ୟତା ପାଇ ଇତିହାସ ପୃଷ୍ଠା ମଣ୍ଡନ କରିଛି । ସ୍ଵାଧୀନତା ସଂଗ୍ରାମରେ କୋଲାବିରା ଦୁର୍ଗର ଭୂମିକା ୨୩.୦୧.୧୮୦୯ରେ ଜନ୍ମିତ ବୀର ସୁରେନ୍ଦ୍ର ସାଏଙ୍କ ବିଦ୍ରୋହୀ ଏବଂ ବନ୍ଦୀ ଜୀବନକୁ ଚାରି ଭାଗରେ ବିଭକ୍ତ କରାଯାଇପାରେ । ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ – ୧୩ ବର୍ଷ ପ୍ରଥମ ପର୍ଯ୍ୟାୟ ବିଦ୍ରୋହ, ତା’ପରେ ୧୮୪୦ରୁ ୧୮୫୭ ପର୍ଯ୍ୟନ୍ତ – ୧୭ ବର୍ଷ ହଜାରୀବାଗ ଜେଲ୍‌ରେ ବନ୍ଦୀ ଜୀବନ, ତା’ପରେ ୧୮୫୭ରୁ ୨୩.୦୧.୧୮୬୩ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ବିଦ୍ରୋହ ଓ ଶେଷରେ ୨୮.୦୨.୧୮୮୪ରେ ଅସୁରଗଡ ଜେଲରେ ରାଜନୈତିକ ବନ୍ଦୀ ଭାବରେ ମୃତ୍ୟୁ । ମହାନ ସଂଗ୍ରାମୀର ଶବକୁ ତା’ର ପ୍ରିୟ ସମ୍ବଲପୁର ମାଟିରେ ଜାଗା ଟିକେ ମିଳେନି କି ରକ୍ତ ସମ୍ପର୍କୀୟଙ୍କ ହାତରୁ ନିଆଁ ଟିକେ । ମଲା ବେଳେ ମୁହଁରେ ପାଣି ଟିକେ ଦେବାକୁ ପୁତ୍ର ମିତ୍ରଭାନୁ ମଧ୍ଯ ପାଖରେ ନଥିଲେ । ଏତେବଡ ସଂଗ୍ରାମୀର ଶରୀର ପଞ୍ଚମହାଭୂତରେ ଲୀନ ହୋଇଗଲା ଅଥଚ ସମ୍ବଲପୁରରେ କେହି ଜଣେ ବି ଜାଣି ପାରିଲେ ନାହିଁ । ବୋଧହୁଏ ଇଂରେଜ ସୈନ୍ୟମାନଙ୍କ ହାତରୁ ମୁଖାଗ୍ନି ପାଇବା ସୁରେନ୍ଦ୍ରଙ୍କ ଜାତକରେ ଲେଖାଥିଲା । କୋଲାବିରାର ଜମିଦାର କରୁଣାକର ନାଏକଙ୍କ ବିଦ୍ରୋହ ସୁରେନ୍ଦ୍ର ସାଏଙ୍କ ଦ୍ଵିତୀୟ ପର୍ଯ୍ୟାୟ ସ୍ଵାଧୀନତା ସଂଗ୍ରାମ ସହଜଡିତ । ସମ୍ବଲପୁର ରାଜ୍ୟ ଅଧୀନରେ ଥିବା ୧୬ଜଣ ଜମିଦାରମାନଙ୍କ ମଧ୍ୟରୁ କରୁଣାକର ନାଏକ ସବୁଠାରୁ ବେଶୀ ଶକ୍ତିଶାଳୀ ଓ ପରାକ୍ରମୀ ଥିଲେ । ତାଙ୍କର ନିଷ୍ପତ୍ତିକୁ ସମ୍ମାନ ଦେଇ ଅନ୍ୟ ଜମିଦାରମାନେ ତାଙ୍କୁ ଅନୁସରଣ କରୁଥିଲେ । ଅନ୍ୟ ଜମିଦାରମାନଙ୍କ ନିଷ୍ପତ୍ତିକୁ ମଧ୍ୟ ସେ ପ୍ରଭାବିତ କରିବାର କୌଶଳରେ ଧୁରନ୍ଧର ଥିବା କଥା ଏଲ୍.ଏସ୍.ଏସ୍ ଓମାଲି, ଆଇସିଏସ୍ ତାଙ୍କର ବେଙ୍ଗଲ ଡିଷ୍ଟ୍ରିକ୍ଟ ଗେଜେଟର୍ସ, ସମ୍ବଲପୁର (୧୯୦୩)ର ପୃଷ୍ଠା ୩୧ରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି । ୧୮୫୭ରେ ବିଦ୍ରୋହୀମାନେ ହଜାରୀବାଗ ଜେଲ ଭାଙ୍ଗି ଦେଲେ । ସେତେବେଳକୁ କିନ୍ତୁ ସୁରେନ୍ଦ୍ରଙ୍କ କାକା ବଳରାମଙ୍କ ଜେଲରେ ମୃତ୍ୟୁ ହୋଇସାରିଥାଏ । ସୁରେନ୍ଦ୍ର ସମ୍ବଲପୁର ଚାଲିଆସିଲେ ଏବଂ ତାଙ୍କ ଭାଇ ଉଦନ୍ତ ଖୁଣ୍ଡାରେ ରହି ଗଲେ । ୧୩.୧୦.୧୮୫୭ରେ ସୁରେନ୍ଦ୍ର ତତ୍କାଳୀନ ସମ୍ବଲପୁରର ଡେପୁଟୀ କମିଶନର ଜି,ଏଫ୍, କକ୍‌ବର୍ଣ୍ଣଙ୍କୁ ତାଙ୍କ ଅବଶିଷ୍ଟ ଜେଲଦଣ୍ଡ ଛାଡ କରି ସମ୍ବଲପୁରର ରାଜଗାଦୀରେ ଅଭିଷିକ୍ତ କରିବାକୁ ଆବେଦନ କଲେ । କିନ୍ତୁ ଇତିମଧ୍ୟରେ ଇଂରେଜମାନେ ତାଙ୍କୁ ପଳାତକ ଘୋଷଣା କରି ତାଙ୍କୁ ଓ ଉଦନ୍ତଙ୍କୁ ଧରାଇବାକୁ ୨୫୦ ଟଙ୍କା ପୁରସ୍କାର ଘୋଷଣା କରିସାରିଥାନ୍ତି । ଓଡ଼ିଶାର କମିଶନର ସୁରେନ୍ଦ୍ରଙ୍କ ଆବେଦନକୁ ଆଗ୍ରାହ୍ୟକରି ତାଙ୍କୁ କୌଣସି ପ୍ରକାର ସହାନୁଭୂତି ନଦେଖାଇ ଗିରଫ କରିବା ପାଇଁ ଆଦେଶ ଦେଲେ । ଫଳରେ ସୁରେନ୍ଦ୍ର ଖିଣ୍ଡାରେ ରହୁଥିବା ଭାଇ ପାଖକୁ ପଳାଇ ଆସିଲେ । ୩୧.୧୦.୧୮୫୭ ରାତି ରେ ଖିଣ୍ଡାଗ୍ରାମରେ ପ୍ରାୟ ୧୪୦୦ ବିଦ୍ରୋହୀ ଜମାହୋଇ ବିଦ୍ରୋହ ଘୋଷଣା କଲେ । ଏଥିରେ କରୁଣାକର ନାଏକଙ୍କ ସମେତ ଅନ୍ୟାନ୍ୟ ଜମିଦାର, ଗୌନ୍ତିଆ ଏବଂ ଶହ ଶହ ବିଦ୍ରୋହୀ ସାମିଲ ହୋଇଥିଲେ । ଏହା ଭିତରେ କଟକରୁ କ୍ୟାପଟେନ୍ ଜେ.ଭି. ନକରଙ୍କ ନେତୃତ୍ବରେ ୧୦ ଅକ୍ଟୋବର ଦିନ ଖିଣ୍ଡା ଏବଂ କୋଲାବିରା ଆକ୍ରମଣ କରିବା ପାଇଁ ୪୦ ମାଡ୍ରାସ ଆର୍ଟାଲେରୀର ୨ କମ୍ପାନୀ ସୈନ୍ୟ ଏବଂ ୫୦ଜଣ ଓଡ଼ିଆ ପାଇକ ସୈନ୍ୟ ସମ୍ବଲପୁର ପାଇଁ ପ୍ରେରିତ ହେଲେ ।

 ସମ୍ବଲପୁରରେ ପହଞ୍ଚି କ୍ୟାପଟେନ୍‌ ହେଡୋଙ୍କ ନେତୃତ୍ବରେ ଖିଣ୍ଡା ଆକ୍ରମଣ ଯୋଜନା କଲେ । ସେମାନଙ୍କର ଧାରଣା ଥିଲା ସୁରେନ୍ଦ୍ର ଓ ତାଙ୍କ ଭାଇମାନେ କୋଲାବିରାରେ ଲୁଚିଥିବେ ।୦୫/୧୧/୧୮୫୭ରେ ସେମାନେ ପୁଣି ସମ୍ବଲପୁରରୁ ବାହାରି, କତରବଗା ଦେଇ ସମାସିଂଙ୍ଗାରେ ପହଞ୍ଚି ରାତ୍ରି ଯାପନ କଲେ । ସେଦିନ ଥିଲା କୋଲାବିରା ଗ୍ରାମ ପାଇଁ କାଳ ଶୁକ୍ରବାର, ନଭେମ୍ବର ଛଅ ୧୮୫୭ । ସମଗ୍ର କୋଲାବିରା ଗ୍ରାମରେ ଶୀତ ରାଣୀର ରାଜତ୍ଵ । ଉଷା ମୁହୁର୍ଭ । କିଛି ଲୋକ ନିଘୋଡ ନିଦରେ ଶୋଇଥାନ୍ତି ଆଉ କିଛି ଉଠିବା ପାଇଁ ପ୍ରସ୍ତୁତ ହେଉଥାନ୍ତି । ହଠାତ୍ ତୋପର ଗର୍ଜନରେ ମହିମଣ୍ଡଳ ପ୍ରକମ୍ପିତ ହେଲା । ଲୋକେ ଭୟଭୀତ ହୋଇ ଉଠି ପଡିଲେ । କ୍ୟାପଟେନ ନକରଙ୍କ ଆଦେଶରେ ୪୦ ମାଡ୍ରାସ ଆର୍ଟାଲେରୀର ସୈନ୍ୟମାନେ କୋଲାବିରା ଦୁର୍ଗ ଆକ୍ରମଣ କଲେ । କିନ୍ତୁ ହାଏ, ଏ କ’ଣ । ଏଠି ବି ସୁରେନ୍ଦ୍ର କି କରୁଣାକର କେହି ନାହାନ୍ତି । ତାଙ୍କ କ୍ରୋଧ ପଞ୍ଚମକୁ ଚଢିଲା । କ୍ରୋଧାନ୍ଵିତ କ୍ୟାପଟେନ ହେଡୋଙ୍କ ଆଦେଶରେ ସୈନ୍ୟମାନେ ତୋପମାଡ଼ କରି କୋଲାବିରା ଜମିଦାରଙ୍କ ପ୍ରାସାଦକୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିଦେଲେ । ଏତିକିରେ ମଧ୍ଯ ହେଡୋଙ୍କ କ୍ରୋଧ ଶାନ୍ତ ହେଲାନାହିଁ । ଏହାପରେ ସେମାନେ ନିରୀହ ଗ୍ରାମବାସୀଙ୍କ ଉପରେ ଅତ୍ୟାଚାର, ଲୁଣ୍ଠନ ପୂର୍ବକ ଗୃହମାନଙ୍କରେ ଅଗ୍ନି ସଂଯୋଗ କଲେ । ନିର୍ଦ୍ଦେୟୀ ଇଂରେଜ ସୈନ୍ୟମାନେ କୋଲାବିରା ଗ୍ରାମବାସୀଙ୍କ କଥା ଭାଷା ତ ବୁଝନ୍ତି ନାହିଁ । ସେଦିନ କିନ୍ତୁ ସେମାନେ ତାଙ୍କ ମୁହଁର ଭାବ ମଧ୍ୟ ବୁଝି ପାରିଲେ ନାହିଁ । ଜୀବନ ରକ୍ଷା ପାଇଁ ଲୋକେ ଜଙ୍ଗଲରେ ଯାଇ ଲୁଚିଲେ । ଏହି ଘଟଣା ପରେ ଗ୍ରାମବାସୀମାନେ ଆଉ ଗଡ ଭିତରେ ରହିବା ନିରାପଦ ମଣିଲେ ନାହିଁ । ଘର ଦ୍ଵାର ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥୁଲା । ତେଣୁ ଜମିଦାରଙ୍କ କେତେକ ଏକାନ୍ତ ଅନୁଗତଙ୍କୁ ଛାଡି ଅନ୍ୟ ସମସ୍ତେ ଗଡ ବାହାରେ, ଅପେକ୍ଷାକୃତ ଉଚ୍ଚ ସ୍ଥାନରେ ଆସି ନୂଆକରି ଜନବସତି ସ୍ଥାପନ କଲେ । କାଳକ୍ରମେ ଏହା ନୂଆପଡା ବା ଉପର ପଡା ଭାବରେ ପରିଚିତ ହେଲା । ଦୁଇ ଦୁଇ ଥର ବିଫଳତାର ଗ୍ଳାନି ଇଂରେଜମାନଙ୍କ କ୍ରୋଧକୁ ଅନେକ ମାତ୍ରାରେ ବଢାଇ ଦେଇଥିଲା ଏବଂ ସେମାନେ ସୁଯୋଗ ଅପେକ୍ଷାରେ ଥିଲେ । କୋଲାବିରା ବିଫଳତାର ଅବସାଦ କୁଦୋପାଲିରେ ଯାଇ ପ୍ରଶମିତ ହୋଇଥିଲା । କୋଲାବିରା ଘଟଣା ପରେ ଡିସେମ୍ବର ପ୍ରଥମ ଭାଗରେ ଆହତ ଇଂରେଜ ସୈନ୍ୟମାନଙ୍କ ଚିକିତ୍ସା ପାଇଁ ଡାକ୍ତର ମୁରେଙ୍କୁ ନେଇ ମିଷ୍ଟର ହାନ୍ ସନ୍ ଆସୁଥିବା ସମୟରେ ବିଦ୍ରୋହୀମାନେ ଡାକ୍ତର ମୁରେଙ୍କୁ ହତ୍ୟା କଲେ । ମିଷ୍ଟର ହାସନ୍ କିନ୍ତୁ କୌଶଳ କ୍ରମେ ବଞ୍ଚଗଲେ ଏବଂ ଜଙ୍ଗଲରେ ଲୁଚି ରହିଲେ । ଏହାକୁ ପ୍ରତିଶୋଧ ନେବା ପାଇଁ ନିଜେ କ୍ୟାପଟେନ ଲେଗ୍‌ ସୈନ୍ୟମାନଙ୍କୁ ଧରି ଜଙ୍ଗଲକୁ ଗଲେ କିନ୍ତୁ ବିଦ୍ରୋହୀମାନଙ୍କ ଆକ୍ରମଣ ଯୋଗୁଁ ଫେରିଆସିଲେ । ଏହାର କିଛି ଦିନପରେ ମିଷ୍ଟର ହାସନ୍‌ଙ୍କୁ ଇଂରେଜ ସୈନ୍ୟମାନେ ଜଙ୍ଗଲରୁ ଉଦ୍ଧାର କଲେ । ୩୦ ଡିସେମ୍ବର, ୧୮୫୭ ବୁଧବାର ଦିନ କୋଲାବିରା ପରାଜୟର ପ୍ରତିଶୋଧ ନେବା ପାଇଁ ସୁଯୋଗ ମିଳିଲା । ଇଂରେଜମାନେ ଖବର ପାଇଲେ ଯେ କୁଦୋପାଲି ଗ୍ରାମ ମୁଣ୍ଡରେ ପାହାଡ ତଳେ ପ୍ରାୟ ୧୬୦୦ ବିଦ୍ରୋହୀ ରୁଣ୍ଡ ହୋଇଛନ୍ତି । ଏହି ସମୟରେ କ୍ୟାପଟେନ ଇ.ଜି.ଉଡ୍ ମଧ୍ୟ ନାଗପୁରରୁ ଆସି ସମ୍ବଲପୁରରେ ପହଞ୍ଚି ଯାଇଥିଲେ । ତାଙ୍କ ନେତୃତ୍ବ ରେ ୭୩ଜଣ ନିଜସ୍ଵ ସୈନ୍ୟ, ୪୦ ମାଡ୍ରାସ ଆର୍ଟାଲେରିର ୧୫୦ ଜଣ ସୈନ୍ୟ ଏବଂ ରାମଗଡ ବାଟାଲିୟନର ୫୦ଜଣ ସୈନ୍ୟଙ୍କୁ ନେଇ କୁଦୋପାଲି ଉପରେ ଅତର୍କିତ ଆକ୍ରମଣ କଲେ । ଠିକ୍ ଏହି ସମୟରେ ସୁରେନ୍ଦ୍ର ସାଏ ଅଧିକ ସୈନ୍ୟ ସଂଗ୍ରହ ପାଇଁ ଝାରସୁଗୁଡା ନିକଟସ୍ଥ ପଞ୍ଚପଡା ଗ୍ରାମକୁ ଯାଇଥିଲେ । ସେଦିନ କୁଦୋପାଲି ଗାଁ ଦାଣ୍ଡ ରଣକ୍ଷେତ୍ର ପାଲଟିଯାଇଥିଲା । ବୀର କରୁଣାକର ନାଏକଙ୍କ ନେତୃତ୍ବରେ ବିଦ୍ରୋହୀମାନେ ତାଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ କ୍ୟାପଟନ ଉନ୍‌ଙ୍କ ଅତ୍ୟାଧୁନିକ ସୈନ୍ୟବାହିନୀ ସହ ଘମାଘୋଟ ଲଢାଇ କରିଥିଲେ । ଏହି ଲଢେଇରେ ସମଗ୍ର ଭାରତ ସମ୍ଭୀଭୂତ ହୋଇଯାଇଥିଲା । ୫୭ ଜଣ ବିଦ୍ରୋହୀ ସୈନ୍ୟ ଇଂରେଜ ସୈନ୍ୟବାହିନୀ ହାତରେ ଶହୀଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ସୁରେନ୍ଦ୍ର ସାଏଙ୍କ ଭାଇ ଛବିଳ ସାଏ, କରୁଣାକର ନାଏକଙ୍କ ପୁଅ କୃଷ୍ଣଚନ୍ଦ୍ର ସିଂହ ଏବଂ ପତ୍ରାପାଲିର ବିର୍ଭିଆ ବଳଭଦ୍ର ଦାଶ ପ୍ରମୁଖ ଥିଲେ । ଦଶଜଣ ବିଦ୍ରୋହୀ ସୈନ୍ୟ ଇଂରେଜମାନଙ୍କ ଦ୍ଵାରା ବନ୍ଦୀ ହୋଇଥିଲେ । କରୁଣାକର କିନ୍ତୁ ଖସି ଯାଇଥିଲେ । କାଳେ କୋଲାବିରାରେ ଲୁଚିଥିବେ ଭାବି ଫେରିଲାବେଳେ ଇଂରେଜମାନେ ପୁଣି କୋଲାବିରା ଆକ୍ରମଣ କରି ଘର ଦ୍ଵାର ନଷ୍ଟ କରିଦେଇଥିଲେ । ୩୦ ଡିସେମ୍ବରର ଏହି ଘଟଣା ଏବେ ମଧ୍ୟ ନିମ୍ନ ଲୋକ ଗୀତ ମାଧ୍ୟମରେ ଲୋକ ମାନଙ୍କ ଶିରାପ୍ରଶିରାରେ ଉଜ୍ଜୀବିତ ଅଛି

‘ଉଲି...ଉଲି...ଉଲି...ଉଲି...ବଉଲିରେ... 
ଉଲି...ଉଲି...ଉଲି... 
ଛବିଳ ସାଏ ଦିହେ ବାଜିଲା ଗୁଳି...
ବାଜିଲା ଗୁଲି... 
କୁଦୋପାଲି ମଝା ଖୁଲି... 
ବଉଲିରେ... 
କୁଦୋପାଲି ମଝା ଖୁଲି...
ବଉଲିରେ...

 ଏପ୍ରିଲ୍ ୧୮୬୧ରେ ମେଜର ଇଂପେ ସମ୍ବଲପୁରର ଡେପୁଟି କମିଶନର ଦାୟିତ୍ଵ ନେଲେ । ସୁରେନ୍ଦ୍ର ସାଏଙ୍କ ପ୍ରତି ତାଙ୍କ ଦୃଷ୍ଟିଭଙ୍ଗୀ ଥିଲା ଅନ୍ୟମାନଙ୍କ ଅପେକ୍ଷା ଭିନ୍ନ । ପ୍ରଥମ କରି ସେ ହିଁ ସୁରେନ୍ଦ୍ରଙ୍କୁ ବିଦ୍ରୋହୀର ମର୍ଯ୍ୟାଦା ଦେଇଥିଲେ । ସେ ଚାହୁଁଥିଲେ ସୁରେନ୍ଦ୍ର ଆତ୍ମ ସମର୍ପଣ କରି ତାଙ୍କ ଖିଣ୍ଡା ଜମିଦାରୀ ଫେରିପାଆନ୍ତୁ । ଏଥିପାଇଁ ସେ ୨୪ ସେପ୍ଟେମ୍ବର ୧୮୬୧ରେ ପ୍ରଥମ ଘୋଷଣାନାମା ଜାରି କଲେ । ପୁଣି ଅକ୍ଟୋବର ୧୧ରେ ଦ୍ବିତୀୟ ଘୋଷଣାନାମା ପ୍ରକାଶ ପାଇଲା । ଏଥିରେ ନଭେମ୍ବର ୨୦ ସୁଦ୍ଧା ଆତ୍ମସମର୍ପଣ କରିବା ପାଇଁ କୁହାଗଲା । ଇଂପେଙ୍କ ଘୋଷଣାନାମାରେ ବିଶ୍ଵାସ କରି କରୁଣାକର ନାଏକ, ତାଙ୍କ ଭ୍ରାତା ଖଗ ନାଏକ ଏବଂ ପୁତୁରା କହ୍ନେଇ ନାଏକ ଆତ୍ମସମର୍ପଣ କଲେ । ଲେଫନାଣ୍ଟ କକ୍‌ବର୍ଷ କିନ୍ତୁ କ୍ଷମା ସର୍ଭରେ ଏମାନେ ଆତ୍ମସମର୍ପଣ କରିଥିବା ନଜାଣି ଅନ୍ୟ ସାଧାରଣ ବନ୍ଦୀମାନଙ୍କ ଭଳି ଏମାନଙ୍କ ବିଚାର କରି କରୁଣାକର ନାଏକଙ୍କୁ ଫାଶୀ ଦଣ୍ଡ ଆଦେଶ କରିଥିଲେ । ସେଦିନ ଥିଲା ରବିବାର, ୨୨ ଡିସେମ୍ବର, ୧୮୬୧, ସମୟ ସକାଳ । ସମ୍ବଲପୁର ଜେଲଖାନାର ଫାଶୀ ଖୁଣ୍ଟରେ କୋଲାବିରାର ମହାନ ବୀର କରୁଣାକର ନାଏକଙ୍କ ଜୀବନର ସୂର୍ଯ୍ୟ, ସୂର୍ଯ୍ୟୋଦୟ ଆଗରୁ ଅସ୍ତମିତ ହୋଇଗଲା ଅନ୍ୟାୟ ଭାବରେ । ତାଙ୍କ ସହିତ ଆଉ ୧୨ଜଣଙ୍କୁ ମଧ୍ୟ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଗଲା । ଠିକ୍ ଏହି ଦିନ ଫାଶୀ ସରିବା ପରେ କଟକରୁ କମିଶନର ଆର୍.ଏନ୍.ସୋର ସମ୍ବଲପୁର ଆସି ପହଞ୍ଚିଲେ । ନଥିପତ୍ର ଯାଞ୍ଚପରେ ଜଣାପଡିଲା ଯେ ବଙ୍ଗଳାର ଛୋଟ ଲାଟ୍ ସୁରେନ୍ଦ୍ରଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ କ୍ଷମା ପ୍ରଦାନ ଘୋଷଣା କରିବା ସଙ୍ଗେ ସଙ୍ଗେ ୨୬/୦୯/୧୮୫୮ ତାରିଖରେ ତାଙ୍କର ବାଜ୍ୟାପ୍ତ ସମ୍ପରି ମଧ୍ୟ ଫେରାଇ ଦେବାପାଇଁ ଆଦେଶ କରିଛନ୍ତି । ଅନ୍ୟାୟ ଭାବରେ ଫାଶୀ ଦିଆଯାଇଥୁବାରୁ ସୋର ଦୁଃଷ୍କୃତ ହେଲେ । କରୁଣାକରଙ୍କ ନାତି ଘନଶ୍ୟାମ ସିଂଙ୍କୁ ତାଙ୍କଜମିଦାରୀ ଫେରାଇ ଦିଆଯିବା ସଙ୍ଗେ ସଙ୍ଗେ ନାଗପୁରର କୋର୍ଟ ଅଫ୍‌ ୱାର୍ଡର ଆଦେଶ ଅନୁଯାୟୀ ତାଙ୍କ ପାଇଁ ଏକ ତ୍ରିତଳ ଦୁର୍ଗ ମଧ୍ୟ ତିଆରି କରାଗଲା । ବର୍ତ୍ତମାନ ମଧ୍ୟ ଏହି ତ୍ରିତଳ ଦୁର୍ଗ ତାର ଅତୀତର ଗୌରବ ଗାଥା ଶୁଣିବା ପାଇଁ ମୁକସାକ୍ଷୀ ଭାବରେ ବିଦ୍ୟମାନ ହୋଇଛି । 


 କୋଲାବିରା ଜମିଦାରଙ୍କ ଶାସନ ବ୍ୟବସ୍ଥା (Kolabira System of Zamindar governance In Odia)

କୋଲାବିରାର ବିଭିନ୍ନ ଜମିଦାରମାନଙ୍କ ଶାସନ ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଦେଖାଯାଏ ଯେ, ଶ୍ରୀ ନୃପଲାଲ ସିଂହଙ୍କ ଆଗରୁ ଥିବା ଜମିଦାରମାନଙ୍କ ଶାସନ ପଦ୍ଧତି ସେତେଟା ସୁବ୍ୟବସ୍ଥିତ ନଥିଲା । ସେମାନେ ଅଳ୍ପ କେତେକ ଅନୁ ରକ୍ତ ଏବଂ ପ୍ରଶଂସକ ବ୍ୟକ୍ତି ବିଶେଷଙ୍କ ମାଧ୍ୟମରେ ଶାସନ ବ୍ୟବସ୍ଥା ନିୟନ୍ତ୍ରଣ କରୁଥିଲେ । କିନ୍ତୁ ଶ୍ରୀ ନୃପଲାଲ ସିଂହ କୋଲାବିରାର ପ୍ରଥମ ଜମିଦାର ଥିଲେ, ଯେ କି ଜମିଦାରୀର ଶାସନ ବ୍ୟବସ୍ଥାରେ ସଂସ୍କାର ଆଣି ଏହାକୁ ସୁବ୍ୟବସ୍ଥିତ କରିଥିଲେ । ସେ କୋଲାବିରାର ଏକ ମାତ୍ର ଜମିଦାର ଥିଲେ ଯେକି ଜମିଦାରୀକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଇଂରେଜମାନଙ୍କ ଦ୍ଵାରା ସ୍ଵତନ୍ତ୍ରଭାବେ ଜମିଦାରୀ ପ୍ରଶାସନ ଉପରେ ତାଲିମ ପାଇଥିଲେ । ହୁମାୟୁନଙ୍କ ମୃତ୍ୟୁ ସମୟରେ ଯେମିତି ଆକବରଙ୍କୁ ୧୩ବର୍ଷ ହୋଇଥାଏ, ଠିକ୍ ସେମିତି ୨୧ ଡିସେମ୍ବର, ୧୯୦୩ ଦିନ ନିଜର ପିତା ଶ୍ରୀ ଚିନ୍ତାମଣି ସିଂହଙ୍କ ମୃତ୍ୟୁ ସମୟରେ ନୃପଲାଲଙ୍କୁ ମାତ୍ର ୧୭ବର୍ଷ ହୋଇଥାଏ । ଲୋକଙ୍କ ମନରେ ବିରାଟ ପ୍ରଶ୍ନ, କିଏ ହେବ କୋଲାବିରାର ପରବର୍ତ୍ତୀ ଜମିଦାର । ନାବାଳକ ନୃପଲାଲଙ୍କ ପକ୍ଷେ ଏତେବଡ ଜମିଦାରୀ ସୁଚାରୁ ରୂପେ ଚଳାଇବା ସମ୍ଭବ ନୁହେଁ ଅନୁଭବ କରି ଇଂରେଜମାନେ (କୋର୍ଟଅଫ ୱାର୍ଡ) କୋଲାବିରାର ଶାସନ ଭାର ନିଜ ହାତକୁ ନିଅନ୍ତି । ପରେ ଯେତେବେଳେ ନୃପଲାଲ ବଡ ହୁଅନ୍ତି, ଅର୍ଥାତ ୧୫/୦୧.୧୯୧୦ ଦିନ କୋଲାବିରାର ଶାସନ ଡୋରି ପୁଣି ନୃପଲାଲଙ୍କ ପାଖକୁ ଚାଲିଆସେ । ଏହି ଛଅ ବର୍ଷ ମଧ୍ୟରେ ନୃପଲାଲଙ୍କ ଶିକ୍ଷା ଏବଂ ତାଲିମ ମଧ୍ଯ ଇଂରେଜମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୂରା ହୋଇଥାଏ । ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ନୃପଲାଲ ପ୍ରଥମେ ଜମିଦାରୀର ସମସ୍ତ କାର୍ଯ୍ୟର ବିଭାଗୀକରଣ କରି,ବିଭିନ୍ନ ବିଭାଗ ଯଥା- ରାଜସ୍ଵ, ଜଙ୍ଗଲ, ଖଜଣା ଇତ୍ୟାଦିରେ ବିଭାଗ ଉପରେ ଜ୍ଞାନଥିବା ବ୍ୟକ୍ତିବିଶେଷଙ୍କୁ ବିଶ୍ବସ୍ତନିୟତାର ଆଧାରରେ ନିଯୁକ୍ତି ଦେଇଥିଲେ । କହିବାକୁ ଗଲେ ନୃପଲାଲଙ୍କ ସମୟକୁ କୋଲାବିରା ଜମିଦାରୀର ସୁବର୍ଣ୍ଣଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ୪୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଜମିଦାର ଥିବା ନୃପଲାଲ, ଶିକ୍ଷା ଏବଂ ସ୍ବାସ୍ଥ୍ୟର ଉନ୍ନତି ପାଇଁ ସ୍କୁ ଲ ଓ ଡାକ୍ତରଖାନା ସ୍ଥାପନା କରିବା ସହ ସାଧାରଣ ଲୋକଙ୍କ ସୁଖ, ଦୁଃଖ ତଥା ବିଭିନ୍ନ ସାମାଜିକ କାର୍ଯ୍ୟରେ ଆର୍ଥିକ ଓ ଜିନିଷ ପତ୍ର ଆକାରରେ ସାହାଯ୍ୟ କରିବାର ଏକ ନିଆରା ପରମ୍ପରା ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ପୁତ୍ର ଲାଲ ବୀର ମହେନ୍ଦ୍ର ସିଂହ ଓ ନାତି ଲାଲ ରାଜେନ୍ଦ୍ର ସିଂହ ମଧ୍ୟ କେତେକାଂଶରେ ଏହି ପରମ୍ପରା ବଜାୟ ରଖୁଥିଲେ । ଜମିଦାରୀର ଆୟ ଓ ବ୍ୟୟର ହିସାବ ପ୍ରତିଦିନ କ୍ୟାସ୍‌ବୁକ୍‌ରେ ଲେଖା ହେଉଥିଲା ଏବଂ ପ୍ରତି ଲେଖାରେ ନୃପଲାଲ ନିଜେ ଦସ୍ତଖତ କରୁଥିଲେ । କ୍ୟାସ୍‌ବୁକ୍‌ ସମେତ ଜମିଦାରୀର ସମସ୍ତ କାଗଜପତ୍ର ଜମିଦାରଙ୍କ କାର୍ଯ୍ୟାଳୟରେ ରହୁଥିଲା । ଟ୍ରେଜେରୀକୁ ନୃପଲାଲ କିନ୍ତୁ ସର୍ବଦା ନିଜ ଘରେ ରଖୁଥିଲେ । ନୃପଲାଲଙ୍କ ସମୟରେ ଜମିଦାରୀର ବିଭିନ୍ନ ବିଭାଗରେ ପ୍ରାୟ ୪୦-୪୫ ଜଣ କର୍ମଚାରୀ କାର୍ଯ୍ୟରତ ଥିଲେ । ଏମାନଙ୍କର ମଧ୍ୟରୁ ୫-୭ ଜଣ ବିଶ୍ବସ୍ତ କର୍ମଚାରୀ, ଯଥା— ରାଜସ୍ଵ ମୋହରିର, ମେନେଜର, ଫରେଷ୍ଟର, ୨ଜଣ କିରାଣି ପ୍ରାୟ ସବୁ ସମୟରେ ଜମିଦାରଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହୁଥିଲେ । କିନ୍ତୁ ଏମାନଙ୍କ ମଧ୍ୟରେ ନୃପଲାଲଙ୍କର ସବୁଠୁ ବେଶୀ ବିଶ୍ବସ୍ତ ଥିଲେ ତାଙ୍କର ଡ୍ରାଇଭର ଶ୍ରୀ ବୃଷଭାନୁ ମହାପାତ୍ର ।

 ୧୯୩୯ ମସିହାରେ ତାଙ୍କୁ ଡ୍ରାଇଭର ଭାବେ ନିଯୁକ୍ତି ମିଳିଥିଲା । ନୃପଲାଲ ସିଂହ ତାଙ୍କ ଡ୍ରାଇଭର ଉପରେ ଅଖଣ୍ଡ ବିଶ୍ଵାସ କରୁଥିଲେ ଓ ସେ ପ୍ରାୟ ସମୟରେ ନୃପଲାଲଙ୍କ ପାଖେ ପାଖେ ରହୁଥିଲେ । ଏକଥା ଓଡ଼ିଶା ହାଇକୋର୍ଟର ତତ୍କାଳୀନ ବିଚାର ପତି ଜଷ୍ଟିସ ରଙ୍ଗ ନଥ ମିଶ୍ର ମଧ୍ୟ ତାଙ୍କ ର ୧୦.୧୨.୧୯୭୫ ପ୍ରଦତ୍ତ ରାଏରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି । ସମ୍ବଲପୁର ରାଜାଙ୍କ ଅଧୀନରେ ଥିବା ୧୬ଟି ଜମିଦାରୀ ମଧ୍ୟରୁ କ୍ଷେତ୍ରଫଳ ଅନୁଯାୟୀ ବୋଡାସମ୍ବର ପରେ କୋଲାବିରାଦ୍ଵିତୀୟ ବୃହତ୍ତମ ଜମିଦାରୀ ଥିଲା । ୧୯୦୧ର ଜନଗଣନା ଅନୁଯାୟୀ କୋଲାବିରା ଜମିଦାରୀର ଲୋକ ସଂଖ୍ୟା ୪୦, ୧୧୦ ଥିଲା ଓ ଏହାର ବାର୍ଷିକ ମୋଟ ଆୟ ୧୩,୦୭୪ ଟଙ୍କା ଥିଲା । ସେଥୁରୁ ୩୫୦୦ଟଙ୍କା ଜମିଦାର ରାଜାଙ୍କୁ କର ଆକାରରେ ପ୍ରଦାନ କରୁଥିଲେ । କୋଲାବିରା ଜମିଦାରୀକୁ ଜୟପୁର ଇଷ୍ଟେଟ୍ ମଧ୍ୟ କୁହାଯାଏ । ସମ୍ବଲପୁର ରାଜ୍ୟର ଦ୍ଵିତୀୟ ବୃହତ୍ତମ ଜମିଦାରୀ ହୋଇଥିବାରୁ ବିଭିନ୍ନ ସମୟରେ କୋଲାବିରା ଜମିଦାରଙ୍କୁ ସମ୍ବଲପୁର ରାଜ କାର୍ଯ୍ୟରେ ଗସ୍ତ କରିବା ଏବଂ ସେଠାରେ ରାତ୍ରିଯାପନ କରିବାକୁ ପଡୁଥିଲା । ତେଣୁ ସମ୍ବଲପୁର ରାଜା, କୋଲାବିରା ଜମିଦାରଙ୍କୁ ଗେଷ୍ଟହାଉସ୍ ବା ରାତ୍ରିଯାପନ ପାଇଁ ସେଭଳିଆ କିଛି ନିର୍ମାଣ ଉଦ୍ଦେଶ୍ୟରେ କିଛି ଜାଗା ଦେଇଥିଲେ । ଏହା କୋଲାବିରା ଜମିଦାରଙ୍କ ସମ୍ବଲପୁର ସହରରେ ଥିବା ଏକମାତ୍ର ସମ୍ପରି ଥିଲା । ୨୮ ଡେସିମିଲ ଆୟତନ ବିଶିଷ୍ଟ ଏହି ଜମି ୧୯୦୨ ମସିହା ପର୍ଯ୍ୟନ୍ତ ପଡିଆ ପଡିଥିଲା । ୧୯୦୨ରେ ଶ୍ରୀଚିନ୍ତାମଣି ସିଂହ ବାସୁ ମିସ୍ତ୍ରୀ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଇଟା ଇତ୍ୟାଦି କିଣି ଏହି ଜାଗାର ଚାରିପଟେ ପ୍ରାଚୀର ନିର୍ମାଣ କରିଥିଲେ । ଏଥିରେ ପ୍ରାୟ ୧୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା । ପରେ ଯେତେବେଳେ କୋଲାବିରାର ଶାସନଭାର ଇଂରେଜମାନଙ୍କ ହାତକୁ ଚାଲିଯାଇଥିଲା ଅର୍ଥାତ ୨୧.୧୨.୧୯୦୩ରୁ ୧୫.୦୧.୧୯୧୦ ମଧ୍ୟରେ ପ୍ରାୟ ୭୦୦୦ ଟଙ୍କା ଖର୍ଚ୍ଚ କରି ଇଂରେଜମାନେ ଏହି ଜମିରେ ଏକ ପକ୍କା ଘର ନିର୍ମାଣ କରି ବ୍ୟବହାର କରୁଥିଲେ । ସେମାନେ ଏହି ଘରର ନାମକରଣ କୋଲାବିରା ହାଉସ୍ ରଖୁଥିଲେ । କୁହାଯାଏ ଯେ ବୃଷଭାନୁଙ୍କଠାରୁ ନୃପଲାଲ ବିଭିନ୍ନ ସମୟରେ ୪ଟି କିସ୍ତିରେ (୧୭.୦୭.୧୯୪୯ରେ ୨୦୦୦ଟଙ୍କା, ୦୩/ ୦୯.୧୯୪୯ରେ ୨୦୦୦ଟଙ୍କା, ୩୧.୧୨.୧୯୪୯ ରେ ୨୦୦୦ଟଙ୍କା ଏବଂ ୨୪.୦୩.୧୯୫୦ରେ ୧୫୦୦ ଟଙ୍କା) ମୋଟ ୭,୫୦୦ ଟଙ୍କା ଧାର ସୂତ୍ରରେ ନେଇଥିଲେ ଓ ପ୍ରତିବଦଳରେ ସମ୍ବଲପୁରସ୍ଥିତ ତାଙ୍କର ଏହି ଜମି ଓ ଘରକୁ ୨୬.୦୩.୧୯୫୦ ଦିନ ଏକ ଦଲିଲ ସମ୍ପାଦନ କରି ବୃଷଭାନୁଙ୍କୁ ବିକ୍ରି କରିଦେଇଥିଲେ । ୨୭,୦୬.୧୯୫୧ ଦିନ ଏହି ଦଲିଲିଟି ସମ୍ବଲପୁରଠାରେ ପଞ୍ଜିକୃତ ହୋଇଥିଲା । ଭ୍ରମଣପ୍ରିୟ ନୃପଲାଲ ତାଙ୍କ ସମ୍ବଲପୁର ଗସ୍ତ ସମୟରେ କୋଲାବିରା ହାଉସରେ ଅବସ୍ଥାନ କରୁଥିଲେ ଓ ଅଧିକାଂଶ ସମୟରେ ସେ ତୀର୍ଥ ପାଇଁ ଆଲ୍ଲାହାବାଦ ଯାଉଥିଲେ । ମୃତ୍ୟୁର ୬-୭ ବର୍ଷ ଆଗରୁ ତାଙ୍କ ବାମ ହାତ ଏବଂ ଗୋଡ ପାରାଲେସିସରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ୧୯୫୬ ପର୍ଯ୍ୟନ୍ତ ସେ ଜମିଦାରୀ କାର୍ଯ୍ୟ ବୁଝାସୁଝା କରୁଥିଲେ । ୧୯୫୮ରେ ତାଙ୍କ ମୃତ୍ୟୁପରେ ତାଙ୍କ ପୁତ୍ର ଲାଲବୀର ମହେନ୍ଦ୍ର ସିଂହ ଖୁବ ଅଳ୍ପ ଦିନ ପାଇଁ କୋଲାବିରାର ଜମିଦାର ହୋଇଥିଲେ । ୧୯୬୩ରେ ତାଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ପୁତ୍ର ଲାଲ ରାଜେନ୍ଦ୍ର ସିଂହ (ଜନ୍ମ– ୨୯/୦୨/ ୧୯୩୬) କୋଲାବିରାର ଜମିଦାର ହୋଇଥିଲେ । ୧୯୫୧ର ଜମିଦାରୀ ଉଚ୍ଛେଦ ଆଇନ ବଳରେ କିନ୍ତୁ ନଭେମ୍ବର, ୧୯୫୨ ଠାରୁ ଓଡ଼ିଶାରେ ଜମିଦାରୀ ପ୍ରଥା ଉଚ୍ଛେଦ ହୋଇସାରିଥିଲା ।

୧୯୫୮ରେ ଶ୍ରୀ ଲାଲ ରାଜେନ୍ଦ୍ର ସିଂହ ଗଣତନ୍ତ୍ର ପରିଷଦ ନାମକ ଏକ ରାଜନୈତିକ ଦଳରେ ଯୋଗ ଦେଇଥିଲେ । ପରେ ଏହି ଦଳର ବିଳୟ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସ୍ବତନ୍ତ୍ର ପାର୍ଟିରେହୋଇଥିଲା ଏବଂ ଲାଲ ରାଜେନ୍ଦ୍ର ସ୍ବତନ୍ତ୍ର ପାର୍ଟି ଟିକେଟରେ ବର୍ତ୍ତମାନ ନିଜର ଅସ୍ତିତ୍ଵ ହରାଇଥିବା ଲାଇକେରା ସଂରକ୍ଷିତ ଆସନରୁ ଚତୁର୍ଥ ବିଧାନସଭା (୧୯୬୭ରୁ ୧୯୭୧ )କୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଓଡ଼ିଶାର ୧୪୦ଟି ବିଧାନସଭା ଆସନରୁ ହରେକୃଷ୍ଣ ମହତାବଙ୍କ ଜନକଂଗ୍ରେସ ୨୬ଟି ଆସନରେ ଏବଂ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସ୍ୱତନ୍ତ୍ର ପାର୍ଟି ୪୯ଟି ଆସନରେ ବିଜୟୀ ହୋଇ ମିଳିତ ଭାବେ ରାଜେନ୍ଦ୍ର ନାରାୟଣଙ୍କ ମୁଖ୍ୟମନ୍ତ୍ରୀତ୍ଵରେ ସରକାର ଗଢିଥିଲେ ମଧ୍ୟ ବିଧାୟକ ଲାଲ ରାଜେନ୍ଦ୍ର କିନ୍ତୁ ମନ୍ତ୍ରୀ ହୋଇପାରିନଥିଲେ । 

ଲେଖକ ପରିଚୟ
ଲେଖକ—ଡକ୍ଟର ଧର୍ମେନ୍ଦ୍ର କୁମାର ମିଶ୍ର

କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ(୨୦୧୩), ଭାରତସରକାର, ରାଉରକେଲା –୧

ଚିତ୍ର ଦ୍ରଷ୍ଟବ୍ୟ—

(କ) କରୁଣାକର ନାୟକ
(ଖ)କୋଲାବିରା ଦୁର୍ଗ
ଚିତ୍ର ଅନ୍ତର୍ଜାଲରୁ ସଂଗୃହୀତ

Tag:
କୋଲାବିରାର ସଂଗ୍ରାମ କଥା ଓ ଶାସନ ଵ୍ୟଵସ୍ଥା, Story of Kolabira freedom fight, Jharsuguda kolabira freedom fighter

Post a Comment

0 Comments