Music

ହୃଦୟର ଭାଷା – ମାତୃଭାଷା

ହୃଦୟର ଭାଷା – ମାତୃଭାଷା

ହୃଦୟର ଭାଷା – ମାତୃଭାଷା

– ନିଷ୍ଠା ରଞ୍ଜନ ଦାଶ
(ସ୍ପିଚ ଲାଙ୍ଗୁଏଜ ପାଥୋଲୋଜିଷ୍ଟ / ଥେରାପିଷ୍ଟ)

ଵିଶ୍ଵରେ ପ୍ରଚଳିତ ପ୍ରତ୍ୟେକ କଥିତ ଭାଷା ଏକ ସ୍ୱତନ୍ତ୍ର ସଂସ୍କୃତିର ପରିଚୟ ଵହନ କରିଥାନ୍ତି । ଆମ ସଭିଙ୍କ ପାଇଁ ମାତୃଭାଷା ହେଉଛି ଏକ ମୂଲ୍ୟବାନ ସମ୍ପଦ ମଧ୍ୟରୁ ଗୋଟିଏ । ଏହି ସମ୍ପଦକୁ ସଂରକ୍ଷିତ ରଖି ପରଵର୍ତ୍ତୀ ପିଢ଼ି ପାଇଁ ଅଗ୍ରସାରିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ।

ଏକାଧିକ ଭାଷା ଶିକ୍ଷା କରିଵା ଆମ ପାଇଁ ଅନେକ ଲାଭଦାୟକ ହୋଇଥାଏ । ଭାଷା ଏକ ଝରକା ସଦୃଶ । ଏକ ନୂଆ ଭାଷା ଯୋଗେ ଦୁନିଆକୁ ଦେଖିପାରୁ, ନିଜ ଚିନ୍ତା ଵ୍ୟାପ୍ତ କରିପାରୁ, ଅନ୍ୟ ସଂସ୍କୃତି ଚଳଣି, ପ୍ରଥା, ଵିଶ୍ଵାସକୁ ସହଜରେ ବୁଝିପାରୁ । ସବୁଠୁ ବଡ଼ କଥା ହେଉଛି, ଅନ୍ୟ ଭାଷା ଜାଣିଵା ଦ୍ୱାରା, ଆମ ମାତୃଭାଷାକୁ ଆମେ ଆହୁରି ଭଲ ଭାଵେ ବୁଝିପାରୁ ବୋଲି ପ୍ରମାଣିତ ହୋଇଛି । ଗଵେଷକମାନେ ଦର୍ଶାଇଛନ୍ତି ଯେ, ଅନେକ ଶିଶୁ ଆଞ୍ଚଳିକ ଶୈଳୀ ସହ ସମାନ୍ତରାଳ ଭାଵେ ଦ୍ଵିତୀୟ କିମ୍ବା ତଦୁର୍ଦ୍ଧ୍ଵ ଭାଷା ଶିକ୍ଷା କରନ୍ତି ।

ଵ୍ୟକ୍ତିତ୍ବ ଗଠନରେ ମାତୃଭାଷାର ଵିଶେଷ ପ୍ରଭାଵ ରହିଛି । ଜନ୍ମ ପୂର୍ଵରୁ ଜନନୀ ଜଠରେ ଥିବା ସମୟରେ ଯେଉଁ ମଧୁର ସ୍ବରଗୁଡ଼ିକ ସହ ଆମେ ପରିଚିତ ହୋଇଥାଉ, ତାହା ଆମର ପ୍ରଥମ ଭାଷା । ଏହା ଆମ ଚିନ୍ତା ଓ ଭାଵଗୁଡ଼ିକୁ ଵିକଶିତ କରିଵାରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ । ଶିଶୁକୁ ତା’ର ମାତୃଭାଷା ମାଧ୍ୟମରେ ଯାହା କୁହାଯାଏ, ତାହାକୁ ପାଥେୟ କରି ଶିଶୁର ମନସ୍ତାତ୍ତ୍ବିକ ଏବଂ ଵ୍ୟକ୍ତିତ୍ବ ଵିକାଶ ଘଟେ । ମନସ୍ତତ୍ତ୍ୱଵିତମାନେ କୁହନ୍ତି, ଶିଶୁମାନଙ୍କ ଆଗରେ ଶବ୍ଦ ଓ ଵାକ୍ୟ ପ୍ରୟୋଗ ଵେଳେ ଵିଶେଷ ଯତ୍ନଶୀଳ ହେଵା ଉଚିତ । ପ୍ରଥମ କରି ଯେଉଁ ଭାଷା ଦ୍ୱାରା ଶିଶୁଟି ତା’ର ଚାରିପାଖ ଦୁନିଆକୁ ବୁଝିଲା, ନିଜ ଦକ୍ଷତା ଓ କଳ୍ପନା କରିଵା ଵିକଶିତ କଲା, ଅସ୍ତିତ୍ୱର ଧାରଣା କଲା, ଯେଉଁ ଭାଷା ମାଧ୍ୟମରେ ପ୍ରଥମେ ଅଵଗତ ହେଲା, ତାହା ହେଉଛି ତା’ର ମାତୃଭାଷା । ସେଇ ଆଧାରରେ ଶିଶୁ ନିଜର ପ୍ରଥମ ଅନୁଭଵ, ଆନନ୍ଦ, ଭୟ ଏବଂ ପ୍ରଥମ ଶବ୍ଦ ତାହାର ମାତୃଭାଷା ମାଧ୍ୟମରେ ହିଁ ପ୍ରକାଶ କରିଥାଏ । ନିଜ ଚିନ୍ତା, ଭାଵ ଏବଂ ଚେତନାକୁ ରୂପ ଦେଵାରେ ମାତୃଭାଷାର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମ ଜୀଵନର ସବୁଠୁ ବେଶି ମହତ୍ତ୍ୱପୂର୍ଣ୍ଣ ସୋପାନ ହେଉଛି ବାଲ୍ୟକାଳ, ଯେଉଁ ସମୟରେ ମାତୃଭାଷା ସମତାଳରେ ଵିକଶିତ ହୋଇଥାଏ । ସ୍ନେହ, କରୁଣା, ଠାର ମାଧ୍ୟମରେ ଏବଂ ସବୁଠୁ ମହତ୍ତ୍ୱପୂର୍ଣ୍ଣ ମୌଖିକ ଭାଷା ମାଧ୍ୟମରେ ଶିଶୁ ଓ ତା’ର ଅଭିଭାଵକ (ଵିଶେଷ କରି ତା’ର ମା’) ମଧ୍ୟରେ ଏକ ନିବିଡ଼ ସମ୍ପର୍କ ସ୍ଥାପିତ ହୁଏ । ଯେତେଵେଳେ ଜଣେ ଲୋକ ନିଜ ମାତୃଭାଷାରେ କଥା ହୁଅନ୍ତି, ହୃଦୟ, ମସ୍ତିଷ୍କ ଏବଂ ଜିଭ ମଧ୍ୟରେ ଏକ ସିଧାସଳଖ ସମ୍ବନ୍ଧ ସ୍ଥାପିତ ହୁଏ । ଆମର ଵ୍ୟକ୍ତିତ୍ବ, ଚରିତ୍ର, ଶାଳୀନତା, ଲଜ୍ଜାଶୀଳତା, ଦୋଷତ୍ରୁଟି, ଦକ୍ଷତା ଏବଂ ଅନ୍ୟ ସମସ୍ତ ଲୁକ୍କାୟିତ ଵିଶେଷତ୍ୱଗୁଡ଼ିକ ମାତୃଭାଷା ମଧ୍ୟମରେ ସାର୍ଥକ ପରିପ୍ରକାଶ ହୋଇଥାଏ । କାରଣ ମାତୃଭାଷାର ଧ୍ଵନି କାନକୁ ଓ ଅର୍ଥ ହୃଦୟକୁ ଭରସା ଓ ଵିଶ୍ଵାସ ଦେଇଥାନ୍ତି ।

ଆହୁରି:

ନେଲସନ ମଣ୍ଡେଲା କୁହନ୍ତି, “ଯଦି ଆପଣ ଲୋକଟିକୁ ସେ ବୁଝିପାରୁଥିଵା ଏକ ଭାଷାରେ କୁହନ୍ତି, ତାହା ତାଙ୍କ ମସ୍ତିଷ୍କକୁ ଯାଏ । ଯଦି ଆପଣ ଲୋକଟିକୁ ତାଙ୍କ ନିଜ ଭାଷାରେ କୁହନ୍ତି, ତାହା ତାଙ୍କ ହୃଦୟକୁ ଯାଏ ।”

ଏଇ କଥାକୁ ସମର୍ଥନ କରି ଏକ ରୋଚକ ଆଲେଖ୍ୟ ଉପରେ ମୋର ଦୃଷ୍ଟି ପଡ଼ିଲା । ୟୁରୋପୀୟ ୟୁନିଅନରେ କାମ କରୁଥିଵା ୧୫ଜଣ ଇଟାଲୀୟ ଦ୍ଵିଭାଷୀୟ ଅନୁଵାଦକ(ଇଂଲିଶ-ଇଟାଲୀ)ଙ୍କୁ ନେଇ ଏହି ଗଵେଷଣା ହୋଇଥିଲା । ଯହିଁରେ ସମସ୍ତ ଅନୁଵାଦକ ଇଂଲିଶ ଭାଷାରେ ଗଭୀର ଦକ୍ଷ ଥିଲେ I ଯେତେଵେଳେ ସେମାନଙ୍କ ସମ୍ମୁଖରେ ‘ନିଜ ଭାଷାରେ (ଦେଶୀ ଶବ୍ଦ)’ ବନାମ ‘କହୁଥିବା ଅନ୍ୟ ଭାଷା’ରେ ଶବ୍ଦ ଉପସ୍ଥାପନ କରାଗଲା, ଅଧ୍ୟୟନରୁ ଅଦ୍ଭୁତପୂର୍ଵ ଭାଵେ ମସ୍ତିଷ୍କ ଗତିଵିଧିରେ ଭିନ୍ନତା ଦୃଷ୍ଟି ଗୋଚର ହେଲା । ଏକ ଶବ୍ଦ ପ୍ରଦର୍ଶନର ୧୭୦ମିଲି ସେକେଣ୍ଡ ପରେ ଗଵେଷକ ମସ୍ତିଷ୍କର ବାମ ଭାଗରେ ଵୈଦ୍ୟୁତିକ ଗତିଵିଧିରେ ଏକ ଶିଖର ରେକର୍ଡ଼ କଲେ । ତାହା ସେହି ସ୍ଥାନ, ଯେଉଁଠାରେ ଅର୍ଥ ଵ୍ୟାଖ୍ୟାନ ହେଵା ପୂର୍ଵରୁ (ଶବ୍ଦର ଏକକ ଭାଵେ) ମସ୍ତିଷ୍କ ଅକ୍ଷର ଚିହ୍ନିଥାଏ । ଯେତେଵେଳେ ଶବ୍ଦଗୁଡ଼ିକ ଇଟାଲୀୟ ଥିଲା (ଯାହାକୁ ସେମାନେ ୫ଵର୍ଷ ଵୟସ ପୂର୍ଵରୁ ଶିଖିଥିଲେ), ମସ୍ତିଷ୍କ ତରଙ୍ଗଗୁଡ଼ିକର ଉଚ୍ଚ ଏମ୍ପ୍ଲିଚୁଡ ରେକର୍ଡ଼ ହୋଇଥିଲା । କେମିତି ବାଲ୍ୟକାଳରେ ଓ ପ୍ରୌଢ଼କାଳରେ ଶିକ୍ଷା କରିଥିଵା ଭାଷାକୁ ମସ୍ତିଷ୍କ ଭିନ୍ନ ଭିନ୍ନ ଭାଵେ ଆହରଣ ଓ ମନେପକେଇ ପାରୁଛି, ସେଇ ଫଳାଫଳ ପ୍ରକାଶ ପାଇଥିଲା । ଏହା ଥିଲା Alice Mado Proverbio, a professor of cognitive electrophysiology at the Milano-Bicocca ‘ଙ୍କ ଗବେଷଣା । ମସ୍ତିଷ୍କ ପ୍ରାକ ଚିତ୍ର, ଧ୍ଵନି, ଭାଵ ଆଦି ଅଣମୌଖିକ ଜ୍ଞାନ ସାଇତି ରଖିଵା ଵେଳେ ମଧ୍ୟ ମସ୍ତିଷ୍କ ମାତୃଭାଷାକୁ ଆହରଣ କରେ । ଏହାର ଅର୍ଥ ହେଉଛି ଯେ, ଦେଶୀ ଭାଷା ମସ୍ତିଷ୍କ ଭିତରେ ସଂଘୀୟ ଶୃଙ୍ଖଳା ସୃଷ୍ଟି କରିଵାକୁ ପ୍ରେରିତ କରେ ଯାହା ଵର୍ଦ୍ଧିତ ଵୈଦ୍ୟୁତିକ ଗତିବିଧି ଆକାରରେ ଦୃଷ୍ଟିଗୋଚର ହୁଏ । ପ୍ରୋଵେର୍ବିଓ କୁହନ୍ତି, “ଆମ ମାତୃଭାଷା ହେଉଛି ତାହା, ଯାହା ମାଧ୍ୟମରେ ଆମେ ଚିନ୍ତାକରୁ, ସ୍ୱପ୍ନ ଦେଖୁ ଏବଂ ଭାଵକୁ ଅନୁଭଵ କରୁ ।”


For Latest Quiz, Gk Join Our Telegram Channel @Gk_Odia Click here


ଶିଶୁଟି ତାହାର ପିତାମାତା, ପରିଵାର, ସମ୍ପର୍କୀୟ, ସଂସ୍କୃତି, ଇତିହାସ, ପରିଚୟ ଏବଂ ଧର୍ମ ସହ ତା’ର ମାତୃଭାଷା ମାଧ୍ୟମରେ ଯୋଡ଼ି ହୁଏ । ଦେଶୀୟ ଭାଷା ଶିଶୁକୁ ସମାଜ ସଂସ୍କୃତି ସହ ଯୋଡ଼େ ଏବଂ ତାହାର ପରିଚୟକୁ ଆକାର ଦିଏ । ପ୍ରଵାସୀମାନଙ୍କଠାରେ ଯେଉଁମାନେ ନିଜ ଦେଶୀୟ ଭାଷା ଭଲ ଭାଵେ ଜାଣନ୍ତି ନାହିଁ, ସେମାନଙ୍କଠାରେ ପରିଚୟର ସଙ୍କଟ ଦେଖାଦିଏ । ଶିଶୁଟି ତାହାର ନିଜ ଭାଷାକୁ ଭଲଭାଵେ ଜାଣିନଥିଲେ, ସେ ତା’ର ସଂସ୍କୃତିରେ ଭଲ ଭାବେ ବୁଝିଛି ବୋଲି ଆମେ କହିପାରିଵା ନାହିଁ । ସତ୍ୟ ଏଇଆ ଯେ, ଭାଷା ଓ ସଂସ୍କୃତିର ସମ୍ପର୍କର ସମ୍ବନ୍ଧ ଅତି ଗଭୀର । ସଂସ୍କୃତିକୁ ସଂରକ୍ଷଣ, ଉପସ୍ଥାପନ ଓ ସାଂସ୍କୃତିକ ସମ୍ବନ୍ଧ ପ୍ରତିଷ୍ଠା କରିଵାରେ ମାତୃଭାଷା ଏକ ଶକ୍ତିଶାଳୀ ଅସ୍ତ୍ର । ନିଜ ସଂସ୍କୃତି, ଭାଷା, ଇତିହାସ ଅଚେତନ ଶିଶୁମାନେ ଦେଶ, ସମାଜ, ପରିଵାର ଓ ନିଜଠାରେ ଭରସା ହରାଇଥାନ୍ତି । ଅନ୍ୟ ଏକ ପରିଚୟ ଆଧାରରେ ବଞ୍ଚିଵା ଛଡ଼ା ସେମାନଙ୍କର ଅନ୍ୟ କିଛି ଉପାୟ ନଥାଏ । ଶିଶୁଟି ବେଶି ଭଲ ଭାଵେ ଜାଣିଥିଵା ଭାଷା, ସଂସ୍କୃତି ଆଧାରରେ ନିଜକୁ ପରିଚୟ ଦିଏ । ସେଇ ଶିଶୁ ଅନେକ କ୍ଷେତ୍ରରେ ହୃଦୟଙ୍ଗମ କରେ ଯେ, ନା ସେ ଏକୁଳର ନା ସେକୁଳର ।

https://blog.odiabook.in/2023/06/Hrudaya-ra-bhasa-matrubhasa.html

Post a Comment

0 Comments