Music

MAGHA PURNIMA | ମାଘ ପୂର୍ଣିମା

Magha Purnima Festival Of Odisha

ମାଘ ପୂର୍ଣ୍ଣମୀକୁ ଅଗିରା ପୂର୍ଣ୍ଣମୀ କୁହାଯାଏ । ଓଡ଼ିଆ ଜନଜୀବନରେ ଚିର ପରିଚିତ ହେଉଛି ଅଗିରା ପୂର୍ଣ୍ଣମୀ ।

ପ୍ରତ୍ୟେକ ଋତୁର ଭିନ୍ନ ଭିନ୍ନ ପର୍ବ ଆମ ଓଡ଼ିଆ ସଂସ୍କୃତିକୁ ସମୃଦ୍ଧ କରିଛି । ପୁଣି ଏଇ ସବୁ ପର୍ବପର୍ବାଣି ଜାତିର ସାଂସ୍କୃତିକ ଓ ସାମାଜିକ ଗାଥା ବହନ କରେ । ଓଡ଼ିଆ ପର୍ବପର୍ବାଣୀରେ ମାଘ ପୂର୍ଣ୍ଣମୀ ଅନ୍ୟତମ । ମାଘ ପୂର୍ଣ୍ଣମୀକୁ ଅଗିରା ପୂର୍ଣ୍ଣମୀ କୁହାଯାଏ । ଓଡ଼ିଆ ଜନଜୀବନରେ ଚିର ପରିଚିତ ହେଉଛି ଅଗିରା ପୂର୍ଣ୍ଣମୀ । ବୈଦିକ ଯୁଗରୁ ଅଗ୍ନି ଦେବତାଙ୍କ ପୂଜା ରହିଆସିଛି । ବେଦରେ ଅଗ୍ନି ହେଉଛନ୍ତି ପ୍ରଥମ ଦେବତା । ଅଗ୍ନିଦେବଙ୍କ ପାଇଁ ଉତ୍ସର୍ଗୀକୃତ ଏହି ପୂର୍ଣ୍ଣମୀକୁ ଅଗିରା ପୂର୍ଣ୍ଣମୀ ବୋଲି କୁହାଯାଏ । ଏହା ଏକ ପାରମ୍ପରିକ ଓଡ଼ିଆ ଗଣପର୍ବ । ଏହିଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ । ଗାଁ ମୁଣ୍ଡରେ ଏକ ଖୋଲା ପ୍ରାଙ୍ଗଣରେ ବାଉଁଶ ଅଗି ସ୍ଥାପନ କରାଯାଇ ସେଥିରେ ନଡ଼ା କୁଟାରେ ଛପର କରାଯାଇ ଅଗ୍ନିଦେବଙ୍କୁ ସ୍ଥାପନ କରାଯାଏ । ସନ୍ଧ୍ୟା ସମୟରେ ଅଗ୍ନି ଉତ୍ସବ କାଳରେ ବ୍ରାହ୍ମଣ ପୁରୋହିତ ଅଗ୍ନିଦେବଙ୍କୁ ପୂଜା କରି କମାର ଯୋଗାଇଥିବା ଶାଣ ଅଗ୍ନିଦ୍ୱାରା ପ୍ରସ୍ତୁତ ଅଗିରାରେ ଅଗ୍ନି ସଂଯୋଗ କରିଥାଆନ୍ତି । ଅଗି ଜଳି ଉଠିବା ସହିତ ନାନାଦି ଭୋଗ ଅଗ୍ନିରେ ସମର୍ପଣ କରାଯାଏ । ଭକ୍ତମାନେ କୀର୍ତ୍ତନ କରି ଅଗ୍ନିର ଚତୁଃପାର୍ଶ୍ବ ପ୍ରଦକ୍ଷିଣ କରିବା ସହିତ ଅଗ୍ନିରେ ଆଳୁ, ବାଇଗଣ ଆଦି ଫଳ ନିକ୍ଷେପ କରିଥାଆନ୍ତି । ଲୋକମାନଙ୍କର ବିଶ୍ୱାସ ରହିଛି ଯେ; ଏଥିରେ ପୋଡ଼ା ଯାଇଥିବା ଫଳ ଖାଇଲେ ମନୁଷ୍ୟ ଦେହରେ ଚର୍ମରୋଗ ହୁଏନାହିଁ ।

ଏହି ଅଗ୍ନିଉତ୍ସବ ମଧ୍ୟ ଏକ କୃଷିଭିତ୍ତିକ ପର୍ବ । ଅଗ୍ନିଉତ୍ସବର ଅଗ୍ନି ନିଆଁ ଯେଉଁ ଦିଗକୁ ଢଳିଥାଏ ସେହି ଦିଗରେ ଧାନ ଫସଲ ଭଲ ଉତ୍ପାଦନ ହୋଇଥାଏ ବୋଲି ବିଶ୍ୱାସ ରହିଛି । କୃଷି କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଲଙ୍ଗଳ ଲୁହା, ଶାବଳ, କୋଡ଼ି, କୋଦାଳ ଓ ଦାଆ ଆଦି କମାର ଶାଳରେ ଅଗ୍ନିଦାହରେ ପ୍ରସ୍ତୁତ ହୁଏ । ପୁଣି ଗୃହକୁ ଅଗ୍ନିଦାହରୁ ସୁରକ୍ଷା ଦେବା ନିମନ୍ତେ ଅଗ୍ନି ଦେବତାଙ୍କର ପୂଜା ନିମନ୍ତେ ମାଘ ପୂର୍ଣ୍ଣମୀ ଦିନ ଅଗ୍ନି ଉତ୍ସବ ପାଳିତ ହୋଇଥାଏ ବୋଲି ବିଶ୍ୱାସ ରହିଛି । କେବଳ ଓଡ଼ିଶାରେ ନୁହେଁ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । କୁହାଯାଏ ଏହି ଦିନଠାରୁ ଶୀତ ଋତୁ ବିଦାୟ ନିଏ । ସେଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଅଗି ଜଳା ହୋଇ ଶୀତକୁ ବିଦାୟ ଦିଆଯାଇଥାଏ ।

ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାଠାରେ ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଯୋରନ୍ଦା ମେଳାଟି ଏହି ଅଗିରା ପୂର୍ଣ୍ଣମୀ ଦିନ ଶେଷ ହୋଇଥାଏ । ତେବେ ଏହାର ପାଞ୍ଚଦିନ ପୂର୍ବରୁ ତଥା ଦଶମୀ ତିଥିରୁ ମହିମାଗାଦିରେ ସନ୍ନ୍ୟାସୀଙ୍କର ସମାବେଶ ହୁଏ । ତ୍ରୟୋଦଶୀ ପାହାନ୍ତାରେ ମହିମା ମେଳା ବା ଯୋରନ୍ଦା ମେଳା ଆରମ୍ଭ ହୁଏ ଏବଂ ଏହାକୁ ପାହାନ୍ତା ପୂର୍ଣ୍ଣମୀ ମଧ୍ୟ କୁହାଯାଏ । ଏହି ଉତ୍ସବରେ ବେଢା ପରିକ୍ରମା କାର୍ଯ୍ୟ ହୋଇଥାଏ । ଏହିଦିନ ମହିମା ସନ୍ନ୍ୟାସୀମାନେ ମହିମା ଗୋସେଇଁଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି । ଅନେକ ମହିମା ସନ୍ନ୍ୟାସୀ ଏହିଦିନ ବୈରାଗୀରୁ ଅପରା ସନ୍ନ୍ୟାସୀ ଭାବେ ଘୋଷିତ ହୁଅନ୍ତି । ମାଘ ଚତୁର୍ଦ୍ଦଶୀରେ ଝାଡ଼ବତୀ ଜଳାଯାଇ ବିଶ୍ୱ କଲ୍ୟାଣ ପାଇଁ ପ୍ରାର୍ଥନା କରାଯାଏ । ଏହି ମେଳାରେ ଅନେକ ସାଧୁସନ୍ଥ ଯୋଗ ଦେଇଥାନ୍ତି । ତେବେ ଏହି ତିନିଦିନିଆଁ ମେଳାରେ ଭାଗ ନେବାକୁ ଅନେକ ଜନମେଳି ହେଉଥିଲେ ହେଁ କୋଭିଡ ପାଇଁ ଜନସମାଗମ ଉପରେ କଟକଣା ଲାଗିଛି ।

https://blog.odiabook.in/2022/03/magha-purnima-in-odia.html

Post a Comment

0 Comments