Music

ରଣପା ନୃତ୍ୟ | RANPA NRUTYA IN ODIA

Ranpa nrutya ,Odisha

 Ranpa Nacha In Odia

ରଣପା ନାଚ (Ranapa Dance) ଓଡ଼ିଶାର ଏକ ଲୋକନୃତ୍ୟ । ପ୍ରାୟ ୬ ଫୁଟ ଲମ୍ବା କାଠ ବା ବାଉଁଶରେ ଭୂମିରୁ ଦୁଇ-ତିନି ହାତ ଉଚ୍ଚତାରେ କରାଯାଇଥିବା ଖାନ୍ଦି ଉପରେ ଗୋଡ଼ ରଖି, ଦ‌ଉଡ଼ିରେ ଏହା ସହିତ ଗୋଡ଼ବାନ୍ଧି ଚଲାଯାଏ ବା ନାଚ କରାଯାଏ । ରଣପା ନାଚ ଏକ ପ୍ରକାରର ଯୁଦ୍ଧ ନାଚ ଓ ରଣପା ଉପରେ ଯୁଦ୍ଧ ଭଙ୍ଗୀରେ ଚାଲିବା ଓ ନାଚ କରିବା ସମୟରେ ନୃତ୍ୟଶିଳ୍ପୀମାନେ ନିଜ ଅପୂର୍ବ ସନ୍ତୁଳନ କୌଶଳ ପ୍ରଦର୍ଶନ କରିଥାନ୍ତି । ଦକ୍ଷିଣ ଓଡ଼ିଶାର (ଗଞ୍ଜାମ, ଗଜପତି ଅଞ୍ଚଳର) ଗୋପାଳକ (ଗୋରୁ ଚରାଳି ବା ଗୋରୁ ଜଗାଳି) ସମ୍ପ୍ରଦାୟରେ ଏହି ନାଚ ଅତି ଲୋକପ୍ରିୟ । କଳାହାଣ୍ଡିରେ ମଧ୍ୟ ଏହି ଲୋକନୃତ୍ୟ ଦେଖିବାକୁ ମିଳେ, କିନ୍ତୁ କଳାହାଣ୍ଡିରେ ଏହାକୁ ଲୋକେ ଏକ ଭିନ୍ନ ନାମରେ ଜାଣନ୍ତି ।

ବର୍ଣ୍ଣନା

୬ ଫୁଟ ଲମ୍ବା ବାଉଁଶରେ ଭୂମିରୁ ପ୍ରାୟ ୨ ଫୁଟ ଉଚ୍ଚତାରେ ଏକ ପାଦୁକା ଖଞ୍ଜି ନୃତ୍ୟର ପ୍ରଧାନ ଉପକରଣ ରଣପା ପ୍ରସ୍ତୁତ କରାଯାଏ । ନୃତ୍ୟ ଶିଳ୍ପୀମାନଙ୍କ ପାଦକୁ ଏହି ପାଦୁକା ଉପରେ ରଖି ଦଉଡ଼ିରେ ବାନ୍ଧି ଦିଆଯାଇଥାଏ । ବାଦ୍ୟ ଓ ଗୀତର ତାଳ ସହିତ ଶିଳ୍ପୀମାନେ ବାଉଁଶର ଉପର ଅଂଶକୁ ହାତରେ ଧରି ଓ ତଳ ପଟେ ଭୂମିରେ ସନ୍ତୁଳନ ରଖି ଆଗକୁ ଓ ପଛକୁ ଚାଲିବା, ବୁଲିବା, ଡେଇଁବା, ଲଢ଼ିବା ଏପରି ଅନେକ କଳା କୌଶଳ ଦେଖାଇଥାନ୍ତି । ନାଚିବା ସମୟରେ ନର୍ତ୍ତକମାନେ ଦୁଇ ଧାଡ଼ିରେ ପରସ୍ପରକୁ ମୁହଁ କରି ପଂକ୍ତି ସଂରଚନା କରି ଛିଡ଼ା ମଧ୍ୟ ହୋଇଥାନ୍ତି । ନାଚ ସମୟରେ ଶିଳ୍ପୀମାନେ ବିଭିନ୍ନ ପ୍ରକାର ଭଙ୍ଗୀର ପ୍ରଦର୍ଶନ କରିଥାନ୍ତି । ସେଗୁଡ଼ିକ ମଧ୍ୟରେ କୃଷ୍ଣଙ୍କ ବିଭିନ୍ନ ଭଙ୍ଗୀ, ମୟୂର ଭଙ୍ଗୀ, ଚଢ଼େଇଆ ଭଙ୍ଗୀ, ବାନର ଭଙ୍ଗୀ (ବ୍ୟଙ୍ଗ ନିମନ୍ତେ) ପ୍ରଭୃତି ଅନ୍ୟତମ ।

ରଣପା ଏକ ଜଟିଳ ନୃତ୍ୟ କଳା । ନୃତ୍ୟ ଶିକ୍ଷା କରୁଥିବା ଶିଳ୍ପୀମାନେ ଭୂମିରୁ ଅଳ୍ପ ଉଚ୍ଚତାରେ ପାଦୁକା ବାନ୍ଧି ନାଚିବା ଆରମ୍ଭ କରନ୍ତି । କାନ୍ଥ ବା ଅନ୍ୟ ସାଥୀଙ୍କ ଶରୀରରେ ଭରା ଦେଇ ପ୍ରଥମେ ସନ୍ତୁଳନର ସହିତ ଛିଡ଼ା ହେବାକୁ ପଡ଼ିଥାଏ । ବାଉଁଶରେ ଭାରସାମ୍ୟ ରକ୍ଷା କରିବାର କୌଶଳ ଶିଖିବା ପରେ ତାଙ୍କ ମନରୁ ତଳେ ପଡ଼ିଯିବାର ଭୟ ଦୂର ହୁଏ । କ୍ରମଶଃ ସେମାନଙ୍କ ପାଦୁକା ଭୂମିରୁ ଉଚ୍ଚତର ହେବାକୁ ଲାଗେ ।

Ranpa Nacha Meaning In Odia

ନାଚ ସମୟରେ ରଣପା ନର୍ତ୍ତକମାନେ ବିଭିନ୍ନ ଶୈଳୀର ପ୍ରଦର୍ଶନ କରନ୍ତି । ସେଗୁଡ଼ିକ ହେଲେ :

(୧) ଚାଲିବା ଶୈଳୀ : ଆଗକୁ ବା ପଛକୁ ଚାଲିବାର ଶୈଳୀ

(୨) ବୃତ୍ତାକାର ଶୈଳୀ : ଏପରି ଶୈଳୀରେ କଳାକାରମାନେ ଗୋଲାକାର ସଂରଚନାରେ ଛିଡ଼ା ହୋଇ ବିଭିନ୍ନ ଭାବ ଓ ଭଙ୍ଗୀ ପ୍ରଦର୍ଶନ କରି ନାଚନ୍ତି । କେନ୍ଦ୍ରରେ ତାଙ୍କ ଦଳର ମୁଖ୍ୟ ବା ସଙ୍ଗୀତ ପରିବେଷଣକାରୀ ଛିଡ଼ା ହୁଅନ୍ତି ।

(୩) ଗୋଟିଏ ଗୋଡ଼ରେ (ଛୋଟେଇ ହୋଇ) ନାଚିବା ଶୈଳୀ : ଏପରି ଶୈଳୀରେ କଳାକାରମାନେ ଗୋଟିଏ ରଣପାରେ ଭାରସାମ୍ୟ ରଖି ଛୋଟେଇ ଛୋଟେଇ ନାଚନ୍ତି । ଅନ୍ୟ ବାଉଁଶଟିକୁ ସେମାନେ ଉଠାଇ ଧରି ରଖିଥାନ୍ତି ଓ ଭାରସାମ୍ୟ ହରାଇବା ପରି ବିପଦ ଦେଖାଦେଲେ ତାହାର ବ୍ୟବହାର କରନ୍ତି । ଏହି ନାଚ ଦର୍ଶକଙ୍କ ପାଇଁ ଅତି ମନୋମୁଗ୍ଧକର ହୋଇଥାଏ ।

(୪) ଦୌଡ଼ିବା ଶୈଳୀ : ଏପରି ଶୈଳୀରେ କଳାକାରମାନେ ଏକ ପଂକ୍ତିରେ ଛିଡ଼ା ହୁଅନ୍ତି ଓ ସେମାନଙ୍କ ମଧ୍ୟରେ ଏକ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ଏହି ପ୍ରତିଯୋଗିତା ବି ନାଚର ଏକ ଅଂଶ ।

(୫) ଯୁଦ୍ଧ ଶୈଳୀ : ଏପରି ଶୈଳୀରେ ଦୁଇ ଜଣ କଳାକାର ପ୍ରତିଦ୍ୱନ୍ଦୀ ସାଜି ଯୁଦ୍ଧ କୌଶଳର ପ୍ରଦର୍ଶନ କରନ୍ତି । ଆକ୍ରମଣ ଓ ପ୍ରତିରକ୍ଷା ପାଇଁ ରହିଥିବା ବିଭିନ୍ନ ଯୁଦ୍ଧ କଳା ପ୍ରଦର୍ଶିତ ହୋଇଥାଏ ।

(୬) ମୁକ୍ତ ଶୈଳୀ : ଏହି ଶୈଳୀରେ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ । ସମସ୍ତ କଳାକାର ନିଜ ଇଚ୍ଛା ମୁତାବକ ନାଚି ପାରିବେ । ତଥାପି ଅନ୍ୟକୁ ବିପଦରେ ବା ଅସୁବିଧାରେ ନ ପକାଇବା ପରି ସାମାନ୍ୟତମ ନିୟମର ପାଳନ କରିବା ଆବଶ୍ୟକ ।

ଦୋଳଯାତ୍ରା, ଗିରି ଗୋବର୍ଦ୍ଧନ ପୂଜା, ଚିତାଲାଗି ଅମାବାସ୍ୟା, ସପ୍ତପୁରୀ ଅମାବାସ୍ୟା ପ୍ରଭୃତି ଅନେକ ପର୍ବପର୍ବାଣିରେ ରଣପା ନାଚ ପ୍ରଦର୍ଶିତ ହୋଇଥାଏ । ଶାରଳା ଠାକୁରାଣୀଙ୍କ ସେବକମାନେ ରଣପା ପିନ୍ଧି ଓ ଘଟ ମୁଣ୍ଡାଇ ନାଚିବାର ପ୍ରଥା ମଧ୍ୟ ରହିଛି ଶ୍ରାବଣରୁ ଭାଦ୍ରବ ଅମାବାସ୍ୟା ମଧ୍ୟରେ ବସନ୍ତ, ମିଳିମିଳା ଓ ବିଭିନ୍ନ ଚର୍ମ ରୋଗରୁ ମୁକ୍ତି ପାଇବା ପାଇଁ ଭୂଦେବୀଙ୍କ ପୂଜା କରାଯାଏ ଓ ସେ ସମୟରେ ଗ୍ରାମରେ ରଣପା ନୃତ୍ୟ ମଧ୍ୟ ଅନୁଷ୍ଠିତ ହୁଏ ।

ନୃତ୍ୟ ଶିଳ୍ପୀଙ୍କ ବେଶଭୂଷା

ରଣପା ନାଚ ସମୟରେ କଳାକାରମାନେ ମୁଖ୍ୟତଃ ଧୋତି ଏବଂ କୁର୍ତ୍ତା ପରି ପାରମ୍ପରିକ ପୋଷାକ ପରିଧାନ କରିଥାନ୍ତି । ଏହି ପୋଷାକର ରଙ୍ଗ ହଳଦିଆ ବା ନାଲି ରଙ୍ଗର ହୋଇଥାଏ । କଳାକାରମାନେ ମୁଣ୍ଡରେ ମୟୂର ଚୂଳ ପରି ରଙ୍ଗୀନ ପଗଡ଼ି ମଧ୍ୟ ପିନ୍ଧିଥାନ୍ତି । ଏହା ସହ ସେମାନେ ପାଦରେ ଘୁଙ୍ଗୁର ମଧ୍ୟ ପିନ୍ଧିଥାନ୍ତି ଯାହା ନାଚିବା ବେଳେ ଝଣ ଝଣ ତାଳ ସୃଷ୍ଟି କରେ ।

ସଙ୍ଗୀତ

ରଣପା ନାଚ ସମୟରେ ଶଙ୍ଖ, ମହୁରୀ, ଚାଙ୍ଗୁ, ଢୋଲ ପ୍ରଭୃତି ବାଦ୍ୟ ଯନ୍ତ୍ର ବ୍ୟବହାର କରାଯାଏ । ନାଚ ସମୟରେ ନୃତ୍ୟ ଶିଳ୍ପୀମାନେ ପୃଷ୍ଠଭୂମିରେ ବିଭିନ୍ନ ଲୋକଗୀତ ମଧ୍ୟ ପରିବେଷଣ କରିଥାନ୍ତି । ଏହି ଗୀତଗୁଡ଼ିକ କୃଷ୍ଣଙ୍କ ବାଲ୍ୟ ଲୀଳା ଓ କାହାଣୀ ସମ୍ବନ୍ଧୀୟ ଲୋକକଥା ଉପରେ ପର୍ଯ୍ୟବେଶିତ ।ହିନ୍ଦୁ ପୌରାଣିକ କଥା ଅନୁସାରେ ନନ୍ଦ ରାଜା ଓ ଯଶୋଦାଙ୍କଦ୍ୱାରା ପାଳିତ କୃଷ୍ଣ ନିଜ ବାଲ୍ୟକାଳରେ ଜଣେ ଗାଈ ଚରାଳିର ଭୂମିକା ସମ୍ପାଦନ କରିଥିଲେ । ତେଣୁ ଗୋପାଳକ ଓ କୃଷ୍ଣଙ୍କ ବାଲ୍ୟ ଜୀବନର କଥା ସହ ଏହି ନାଚର ସମ୍ପର୍କ ସ୍ପଷ୍ଟ ଭାବେ ପ୍ରତିପାଦିତ ହୋଇଥାଏ । ଚିତାଲାଗି ଅମାବାସ୍ୟା ପରି ପୂଜା ପର୍ବାଣି ସମୟରେ ରଣପା ନର୍ତ୍ତକମାନେ ଘରରୁ ଘର ବୁଲିବାର ପ୍ରଥା ରହିଛି । ସେ ସମୟରେ ଭୋଗ ଓ ପ୍ରସାଦ ଲାଗିବା ପାଇଁ ମଧ୍ୟ ଗୀତ ଗାଇଥାନ୍ତି । ତନ୍ମଧ୍ୟରୁ ଏକ ଉଦାହରଣ ହେଲା :

ଲିଆ ଦେ, ଦେ, ପିଠା ଦେ,
ଘରର ପିଠା ସବକେ ଦେ ;
ଲିଆ ଦେ, ଦେ, ପଇସା ଦେ,
ରଣପା ଭାଙ୍ଗ ପୂଜା ଦେ

ପାରମ୍ପରିକ ଭାବେ ରଣପା ନାଚ ସମୟରେ ବେଶୀ କଣ୍ଠ ସଙ୍ଗୀତ ପରିବେଷଣ କରାଯାଉ ନଥିଲା । କିନ୍ତୁ ଲୋକଙ୍କ ମନୋରଞ୍ଜନ ପାଇଁ ରଣପା ନାଚର ବିବର୍ତ୍ତନ ଘଟି ସେଥିରେ ବାଦ୍ୟ ସହ ଗୀତ ମଧ୍ୟ ପରିବେଷଣ ହେବାକୁ ଲାଗିଲା ।

ଯୁଦ୍ଧ ସହ ରଣପା ନାଚର ସମ୍ପର୍କ

ଓଡ଼ିଆ ଭାଷାରେ କାଠ ବା ବାଉଁଶ ନିର୍ମିତ ଡେଙ୍ଗା ପାଦୁକାକୁ ରଣପା ବା ରଣପାୟ ବା ରଣପାଏ ବୋଲି କୁହାଯାଇଥାଏ । ରଣ ଓ ପା (ଅର୍ଥାତ ପାଦ) ଶବ୍ଦର ସମ୍ମିଶ୍ରଣରୁ ରଣପା ଶବ୍ଦର ସୃଷ୍ଟି ।ଏହି ଲୋକନୃତ୍ୟରେ ନୃତ୍ୟ ଶିଳ୍ପୀ ରଣପା ଉପରେ ଛିଡ଼ା ହୋଇ ନାଚୁଥିବାରୁ ଏପରି ନାମକରଣ ହୋଇଛି । ରଣପା ନାଚର ସୃଷ୍ଟି ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ ହୋଇଥିବା ବିଶ୍ୱାସ କରାଯାଏ । ଆବଶ୍ୟକ ସମୟରେ କୃଷକ ଓ ଅନ୍ୟ ସାଧାରଣ ବେଉସାର ଲୋକଙ୍କୁ ନିଜ ରାଜ୍ୟ ବା ଦେଶ ପାଇଁ ଯୁଦ୍ଧ କରିବାକୁ ପଡ଼ୁଥିଲା । ଯୁଦ୍ଧ କ୍ଷେତ୍ରରେ ଶୀଘ୍ର ପହଞ୍ଚିବା ପାଇଁ ସେମାନେ ବାଉଁଶରେ ଠିଆ ହୋଇ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଯାଉଥିଲେ । ତାହା ରଣପା କୌଶଳର ଉଦ୍ଭାବନର ଏକ କାରଣ ।

ରଣପା ନାଚକୁ ବିଭିନ୍ନ ଦୃଷ୍ଟିକୋଣରୁ ଏକ ଯୁଦ୍ଧ ନାଚ ଭାବେ ଅଭିହିତ କରାଯାଏ । ରଣପା ନାଚରେ ବାଉଁଶ ବା କାଠ ଭୂମି ଉପରେ ଘୋଡ଼ା ଟାପୁର ଶବ୍ଦ ପରି ଶବ୍ଦ ସୃଷ୍ଟି କରିଥାନ୍ତି । ପୁଣି ଏହି ନାଚ ସମୟରେ ଶରୀରରେ ରକ୍ତ ପ୍ରବାହ ବଢ଼େ ଓ ଶରୀରରେ ଯୁଦ୍ଧ କରିବା ପରି ଉତ୍ତେଜତା ସୃଷ୍ଟି ହୁଏ ।

ପୁନରୁଦ୍ଧାର ଚେଷ୍ଟା

ରଣପା ନାଚର କୌଶଳ ଅତି ସ୍ୱତନ୍ତ୍ର । କିଛି ଲୋକଙ୍କ ମତରେ ଇଂରେଜ ଶାସନ ସମୟରେ ବହୁ ଲୋକ ଏହି କୌଶଳ ଶିକ୍ଷା କରିବାକୁ ଆଗ୍ରହ ଦେଖାଉଥିଲେ । ଇଂରେଜଙ୍କ ଶାସନ ବିରୋଧୀଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ୁଥିଲା ଏବଂ ଏହି କୌଶଳଦ୍ୱାରା କାରାଗାରର ଉଚ୍ଚ ପାଚେରୀ ଲଂଘି ପଳାୟନ କରିହେଉଥିବାରୁ ଏହି କୌଶଳ ଶିକ୍ଷା କରିବା ପାଇଁ ଲୋକ ଇଚ୍ଛୁକ ଥିଲେ । ଆଧୁନିକ ଯୁଗରେ ଲୋକ ନୃତ୍ୟ ଓ ଆଦିବାସୀ ନୃତ୍ୟ ପ୍ରତି ଗଭୀର ଅନୁରକ୍ତି ଏବଂ ନିଷ୍ଠା ଥିବା ଓଡ଼ିଶାର ଅନେକ ନୃତ୍ୟ ଶିଳ୍ପୀ ଓ ନୃତ୍ୟଗୁରୁଙ୍କ ଯୋଗୁଁ ରଣପା ନାଚ ତିଷ୍ଠି ରହିପାରିଛି । କିଛି ପରମ୍ପରାକୁ ଯଥାବତ୍ ରଖାଯାଇ ଆଧୁନିକ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏହି ଲୋକନୃତ୍ୟରେ ଅନେକ ନୂତନତା ଗ୍ରହଣ କରାଯାଉଛି । ବିଶ୍ୱରେ ବିଭିନ୍ନ ମଞ୍ଚରେ ରଣପା ନୃତ୍ୟଶିଳ୍ପୀମାନେ ନିଜର କଳାର ପ୍ରଦର୍ଶନ କରି ଗୌରବ ହାସଲ କରିବା ସହ ଏହି ନାଚ ପ୍ରତି ଲୋକଙ୍କ ମନରେ ସଚେତନତା ସୃଷ୍ଟି କରି ପାରିଛନ୍ତି । ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ରଣପା ନାଚ ପ୍ରଦର୍ଶିତ ହେଉଛି ।

  • ୧୯୬୮ ମସିହାରେ ଭାରତର ସାଧାରଣତନ୍ତ୍ର ଦିବସ ଉପଲକ୍ଷରେ ନୂଆ ଦିଲ୍ଲୀରେ ହୋଇଥିବା ପରେଡ୍ ସମୟରେ ଓଡ଼ିଶା ରାଜ୍ୟ ପକ୍ଷରୁ ରଣପା ନୃତ୍ୟ ପ୍ରଦର୍ଶିତ ହୋଇଥିଲା ।
  • ୧୯୮୨ ମସିହାରେ ଲଣ୍ଡନ ସହରରେ ଭାରତ-ଗ୍ରେଟ୍ ବ୍ରିଟେନ୍ ସାଂସ୍କୃତିକ ଉତ୍ସବରେ ରଣପା ନାଚ ପ୍ରଦର୍ଶିତ ହୋଇଥିଲା ।
  • ୧୯୯୯ ମସିହାରେ ନ୍ୟୁଜିଲ୍ୟାଣ୍ଡର ୱେଲିଂଟନ୍ ସହରରେ ମଧ୍ୟ ରଣପା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।
  • ୨୦୦୩ ମସିହାରେ ୧୪ଶ କୋଣାର୍କ ମହୋତ୍ସବରେ ରଣପା ନୃତ୍ୟର ଏକ କାର୍ଯ୍ୟକ୍ରମ ରଖାଯାଇଥିଲା ।

ରଣପା ନାଚ ପ୍ରତି ସଚେତନତା ସୃଷ୍ଟି କରିବାରେ ଓ ଯୁବ କଳାକାରଙ୍କୁ ଉତ୍ସାହିତ କରିବା ଦିଗରେ ପଦ୍ମଶ୍ରୀ ଭଗବାନ ସାହୁଙ୍କର ଏକ ବଡ଼ ଯୋଗଦାନ ରହିଥିଲା ।

ରଣପା ନାଚ ସହ ସାମଞ୍ଜସ୍ୟ ରହିଥିବା ଅନ୍ୟ ଲୋକନୃତ୍ୟ

ଛତିଶଗଡ଼ର ମୁରିଆ ଜନଜାତି ଲୋକଙ୍କ ଗେଣ୍ଡି ନାଚ ।

Post a Comment

0 Comments