କୋରାପୁଟ ଅଞ୍ଚଳରେ ନଦୀକୁ ଗାଡ଼ କାହିଁକି କୁହାଯାଏ-Koraput re Nadi ku gaad kanhiki kuha jae

@Archivist
0

 


ଅବିଭକ୍ତ କୋରାପୁଟରେ ନଦୀକୁ ଗାଡ଼ କୁହାଯାଏ ସେହିପରି ଯେଉଁଠାରେ ଗଭୀର ଜଳ ଥାଏ ବା ଗଭୀର

ଜଳ ଧାରଣ କରୁଥିବା ଗର୍ତ୍ତକୁ ମଧ୍ୟ ଏଠାକାର ଲୋକେ ଗାଡ଼ କହିଥାନ୍ତି । ନାରାୟଣପାଟଣା ଅଞ୍ଚଳରେ ଝଞ୍ଜାବତୀ ଓ ଚମ୍ପାବତୀ ନାମକ ଦୁଇଟି ନଦୀର ମିଳନ ସ୍ଥଳର ନାମକୁ 'ଗୋରିଆ ଗାଡ଼’ କୁହାଯାଏ ।

କିମ୍ବଦନ୍ତୀ ଅନୁସାରେ ଜୟପୁର ରାଜ୍ୟର ମହାରାଜା ବିଶ୍ବମ୍ବର ଦେବ(ଦ୍ୱିତୀୟ)ଙ୍କ ପ୍ରଥମ ରାଣୀ ଝଞ୍ଜାବତୀ ଦେବୀ ଏହି ଗୋରିଆ ଗାଡ଼ରେ ବା ନଦୀରେ ସ୍ନାନ କରୁଥିବାବେଳେ ଉପର ମୁଣ୍ଡରେ ହଠାତ୍ ପ୍ରବଳ ବର୍ଷା ହୋଇ ବନ୍ୟା

ଆସିବାରୁ ସେ ଏଠାରେ ସଲିଳ ସମାଧି ନେଇଥିଲେ ଓ ତାଙ୍କ ନାମ ଅନୁସାରେ ଏହି ନଦୀଟିର ନାମ ରଖାଯାଇଥିଲା ଝଞ୍ଜାବତୀ । 

ସେହିପରି ପଟାଙ୍ଗି ଅଞ୍ଚଳରେ ଅନ୍ୟ ଏକ ନଦୀର ନାମ ମେରୁଗାଡ଼ ରହିଥିବା ବେଳେ କୁନ୍ଦ୍ରା ଅଞ୍ଚଳର ଏକ ନଦୀ ବେଷ୍ଟିତ ଗ୍ରାମର ନାମ ରହିଛି ‘ଗାଡ଼ ଗୁଣ୍ଡାଳ’ । ଏହି ଗ୍ରାମଟିକୁ ଚାରିଆଡୁ ନାଳ ଓ ନଦୀ ଗୁଡ଼େଇ ରଖିଥିବାରୁ ଏହାକୁ ଗାଡ଼ଗୁଣ୍ଡାଳ ନାମରେ ନାମିତ କରାଯାଇଛି । 


କିନ୍ତୁ ଗାଡ଼ ଶବ୍ଦଟି ତ ପ୍ରଚଳିତ କଥିତ ଭାଷାରେ ଗର୍ତ୍ତ ଅର୍ଥରେ ବହୁଳ ଭାବେ ବ୍ୟବହୃତ ତାହେଲେ ଗାଡ଼ ଶବ୍ଦକୁ ନଦୀ ଅର୍ଥରେ କାହିଁକି ବ୍ୟବହାର କରାଗଲା ? 


କାରଣ ଏହି ଅଞ୍ଚଳରେ ଲୋକମାନେ ପୂର୍ବେ ବିଶ୍ବାସ କରୁଥିଲେ ଯେ  ପ୍ରତିଟି ନଦୀ ଏକ ଗର୍ତ୍ତରୁ ଜନ୍ମ

ନେଇଥାଏ । ପୁଣି ପ୍ରତିଟି ନଦୀର ଉତ୍ପତ୍ତିସ୍ଥଳ କୌଣସି ପାହାଡ଼ ଖୋଲରୁ ବାହାରିଥିବା ନାଳ ବା ଝରଣା ଏବଂ ଏହା ଉଚ୍ଚ ଭୂମିରୁ ନିମ୍ନ ଭୂମିକୁ ଗଡ଼ିଗଲାବେଳେ ଗଭୀର ଗାଡ଼ି ମାନ ସୃଷ୍ଟି କରି ଆଗକୁ ବହିଯାଇଥାଏ । ତେଣୁ ସ୍ଥାନୀୟ ଲୋକେ ଏହାକୁ ଆଧାରକରି ନଈକୁ ଗାଡ଼ ବୋଲି କହିଥାନ୍ତି । ସେହିପରି ଢେଙ୍କାନାଳରେ ନଦୀକୁ କେହି କେହି ଧାର କହିଥାନ୍ତି ।  ଓଡ଼ିଶାରେ ନଈ ବା ନଦୀ ଶବ୍ଦର ଏହିପରି ଅନେକ ଦେଶଜ ପ୍ରତିଶବ୍ଦ ଚଳୁଥାଇପାରେ । 


(ତଥ୍ୟ ଉତ୍ସ— ଦେଶିଆ ଜ୍ଞାନକୋଷ, ଚିତ୍ର ଉତ୍ସ— ଝଞ୍ଜାବତୀ ନଦୀ;ଅନ୍ତର୍ଜାଲ)

Tags

Post a Comment

0Comments

Post a Comment (0)